ଭୁୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ଅନ୍ୟପଟେ ଗୁରୁତର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଏମ୍ସରେ ପହଞ୍ଚି ନିଜେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଦିଲ୍ଲୀର ଏମ୍ସ ଭଳି ଷ୍ଟାଣ୍ଡାର୍ଡ ଚିକିତ୍ସା ଯୋଗାଇ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭିଡିଓ କନଫରେନ୍ସରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ଆଗାମୀ ୨୪ ଘଣ୍ଟା ପୀଡିତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ତେଣୁ ସ୍ଥାନାନ୍ତର ସମ୍ଭବ ନୁହେଁ । ଯଦି ଆଗକୁ ସ୍ଥିତି ସ୍ୱାଭାବିକ ହୁଏ ତା ହେଲେ ଦିଲ୍ଲୀ ଏୟାରଲିଫ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଦିଲ୍ଲୀର ଏମ୍ସ ଟିମ୍ ସହ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଭର୍ଚୁଆଲରେ ମିଟିଂ କରିବେ ।
କେବଳ ଏତିକି ନୁହେଁ ବାଲେଶ୍ୱର ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଆହତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେଇ ସାରିଛି ଏବଂ ତଦନ୍ତ ଆରମ୍ଭ ହୋଇ ଯାଇଛି । ତଦନ୍ତକାରୀ ଟିମର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେପରି ଘଟଣାର ପୁନରାବୃତ୍ତି ନ ହେବ ସେ ଦିଗରେ ସରକାର ପଦକ୍ଷେପ ନେବେ ।
ଘଟଣାରେ ଜାତୀୟ ମହିଳା କମିଶନ (ଏନଡବ୍ଲ୍ୟୁ) ନିଜ ଆଡୁ ହସ୍ତପକ୍ଷେପ କରିଛନ୍ତି । ଛାତ୍ରୀଜଣକ ଯୌନ ନିର୍ଯାତନା ଓ ଡିଗ୍ରୀ ହାସଲରେ ଅକୃତକାର୍ଯ୍ୟ ଧମକ ପାଇଛନ୍ତି । ବିଭାଗୀୟ ମୁଖ୍ୟଙ୍କ ଏପରି ଧମକ ପାଇଁ ଛାତ୍ରୀଜଣକ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୯୦ ପ୍ରତିଶତ ଶରୀର ପୋଡି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନୁସନ୍ଧାନ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜାତୀୟ ମହିଳା କମିଶନ ଓଡିଶା ଡିଜିପିଙ୍କୁ ଚିଠି ଲେଖିଛନ୍ତି । ୩ ଦିନ ଭିତରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ରବିବାର ବାଲେଶ୍ୱର ଘଟଣା ପ୍ରତିବାଦରେ ଛାତ୍ର ଓ ଯୁବ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି । ଏଥିରେ ବିଧାୟକ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ । ଘେରାଉ ଉଦ୍ୟମ ବେଳେ ଶତାଧିକ ବିଜେଡି କର୍ମୀଙ୍କୁ ପୋଲିସ ଉଠାଇ ନେଇଛି । ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରିଛି ଛାତ୍ର କଂଗ୍ରେସ । ଏଥିସହ ଘଟଣାକୁ ନେଇ ନାରାବାଜି କରିଛି । ଏହି ସମୟରେ ଦୁଇଟି ସ୍ଥାନରେ ପୋଲିସ ସହ ବିଜେଡି ଓ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ।