କଟକ: ବିରୋଧି ବିଜୁ ଜନତା ଦଳକୁ ସୋମବାର ସକାଳୁ ସକାଳୁ ଏକ ଝଟକା ଲାଗିଛି । ଦଳର ଜଣେ ବ୍ଲକ୍ ଅଧ୍ୟକ୍ଷ ଦଳ ଛାଡ଼ିଛନ୍ତି । କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅଧ୍ୟକ୍ଷ ଦଳର ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ନିଜର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି ।
ରଘୁପତି ମହାନ୍ତି କହିଛନ୍ତି, ମୁଁ ଦଳରେ ନିଜକୁ ଅଲୋଡ଼ା ଭାବୁଥିଲି, ସେଥିପାଇଁ ଇସ୍ତଫା ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ଅନେକ ବର୍ଷ ଧରି ମୁଁ ମୋ ଅଞ୍ଚଳର ବିକାଶ ପାଇଁ ଜଣେ ଆଦର୍ଶ କର୍ମୀ ଭାବରେ ନିରନ୍ତର ଭାବରେ କାର୍ଯ୍ୟ କରିଆସୁଥିଲି । ଦଳ ଦ୍ୱାରା ଯେଉଁ ଦାୟିତ୍ୱ ଦିଆଯାଉଥିଲା ତାକୁ ସୁଚାରୁରୂପେ ତୁଲାଇଛି । ଏତେ ବର୍ଷ ପରେ, ମୁଁ ଦଳରେ ଅଲୋଡ଼ା ହୋଇରହିଥିବା ଭାବୁଛି । ସଂଗଠନ ଏବଂ ରାଜନୈତିକ ପ୍ରକ୍ରିୟା ପାଇଁ ମୋର ଆଉ ଦରକାର ନାହିଁ ବୋଲି ଲାଗୁଛି ।
“ତେଣୁ ମୁଁ ଜୀବନରେ ଆଗକୁ ବଢ଼ିବାର ନିଷ୍ପତ୍ତି ନେଇଛି । ତଥାପି, ମୋ ଲୋକଙ୍କ ପାଇଁ ମୋର ସେବା ଏବଂ ମୋ ଅଞ୍ଚଳର ବିକାଶ ପାଇଁ ଚେଷ୍ଟା ସବୁଦିନ ପାଇଁ ଜାରି ରହିବ ବୋଲି ରଘୁପତି ମହାନ୍ତି କହିଛନ୍ତି ।
ସେପଟେ ରଘୁପତି ନିଜର ସମର୍ଥକଙ୍କ ସହିତ ଆଜି ବିଜେପି ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ନିର୍ବାଚନ ପରେ ବିଜେଡ଼ିର ଅନେକ ଆଗ ଧାଡ଼ିର ନେତୃବୃନ୍ଦ ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ରାଜ୍ୟସଭା ସାଂସଦ ମମତା ମହାନ୍ତ, ସୁଜିତ କୁମାର, ଯାଜପୁର ବରୀର ପୂର୍ବତନ ବିଧାୟିକ ସୁନନ୍ଦା ଦାସ ଏବଂ ଅନେକ କର୍ମୀ ବିଜେଡ଼ି ଛାଡ଼ି ବିଜେପି ଯୋଗ ଦେଇଛନ୍ତି ।