ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ପୋଲିସ ଅଧିକାରୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସ୍ଆଇଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଧରିଛି ଭିଜିଲାନ୍ସ ଟିମ୍ । ଲାଞ୍ଚ ନେବାବେଳେ ଏଏସ୍ଆଇ ବୁଡୁ ଭୋଇ ଧରାପଡ଼ିଛନ୍ତି ।
ଦୁର୍ଘଟଣାରେ ପୋଲିସ ଜବତ କରିଥିବା ଏକ ମଟର ସାଇକେଲ୍ ବୀରମହାରାଜପୁର ଥାନାରେ ରହିଥିଲା । ଗାଡ଼ିକୁ ମୁକ୍ତ କରିବାକୁ ଅଭିଯୋଗକାରୀ ଦୀର୍ଘ ଏକ ମାସ ହେବ ଏଏସ୍ଆଇ ବୁଡ଼ୁ ଭୋଇଙ୍କୁ ବାରମ୍ବାର ନିବେଦନ କରୁଥିଲେ । କିନ୍ତୁ ଏଏସ୍ଆଇ ବାଇକୁ ଦେବାକୁ ଅଭିଯୋଗକାରୀଙ୍କୁ ୬,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ସେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏଏସ୍ଆଇଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ଲାଞ୍ଚ ଦେଉଥିବାବେଳେ ପୋଲିସ ଏଏସ୍ଆଇ ବୁଡ଼ୁଙ୍କୁ ଧରିଛି । ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହା ପରେ ଭିଜିଲାନ୍ସ ଏଏସ୍ଆଇଙ୍କର ଦୁଇଟି ଠିକଣାରେ ଯାଞ୍ଚ ଆରମ୍ଭ କରିଛି ।