ଭୁବନେଶ୍ୱର: ଆଜି ପିସିସି ସଭାପତି ଭକ୍ତ ଦାସ ନୂଆଦିଲ୍ଲୀ ଗ୍ରସ୍ତ କରିଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ହାଇକମାଣ୍ଡଙ୍କ ସହ କଥା ହେବାକୁ ସେ ଦିଲ୍ଲୀ ଯାଉଥିବା କହିଛନ୍ତି। ପିସିସି ସଭାପତିଙ୍କ ଏହି ଦିଲ୍ଲୀ ଗ୍ରସ୍ତରୁ ପ୍ରାର୍ଥୀ ଚୂଡାନ୍ତ ହୋଇପାରେ। ଏନେଇ ଭକ୍ତ ଦାସ କହିଛନ୍ତି, ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ। ଏଥିପାଇଁ ୫ଟି ନାଁକୁ ନେଇ ଆଲୋଚନା ଚାଲିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନ ଭାବେ ବିଜେଡି-କଂଗ୍ରେସ ସମର୍ଥନ କଲେ ଓଡ଼ିଶାର ସ୍ୱାର୍ଥ ରହିବ। ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପିକେ ରାଏ, ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତାଙ୍କ ନା ରହିଛି।
ସେପଟେ ଆଜି ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡିର ବଡ଼ ବୈଠକ ବସିବ। ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା ହୋଇଛି। ରାଜ୍ୟ ସଭା ନିର୍ବାଚନକୁ ନେଇ ମାନସମନ୍ଥନ ହେବା ନେଇ ଜଣାପଡୁଛି।
ରାଜ୍ୟସଭା ନିର୍ବାଚନ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାରି ଭିତରେ ଗୁରୁବାର ସଂଧ୍ୟାରେ ବିଜେଡିର ପିଏସି ବୈଠକ ବସିଥିଲା। ତେବେ ପ୍ରାର୍ଥୀ କିଏ ହେବେ ସେନେଇ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ ବୋଲି ପ୍ରମିଳା ମଲ୍ଲିକ କହିଥିଲେ। ତେବେ ଆଜି ନବୀନଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ଯାଉଛି। ଅପରାହ୍ନ ୫ଟାରେ ହେବାକୁ ଥିବା ବୈଠକରେ ସମସ୍ତ ବିଜେଡି ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।