କଟକ: ବହୁ ଚର୍ଚ୍ଚିତ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ତଥା ଚଳିଚ୍ଚିତ୍ର ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବଡ଼ ରାୟ ଆସିଛି । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ କଟକ ତୃତୀୟ ଏଡିଜେ କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଘରୋଇ ହିଂସା ମାମଲାରେ ଲିପନଙ୍କ ମାଁ ଓ ବାପାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।
୪ ଜାନୁଆରୀ, ୨୦୧୯ରେ କଟକ ମହାନଦୀ ବିହାରରେ ଥିବା ଆପାର୍ଟମେଣ୍ଟ ଛାତରୁ ପଡ଼ିବାରୁ ନିକିତା ଗୁରୁତର ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଶାଶୁ ଘର ଲୋକେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ମଧ୍ୟରେ ନିକିତା ଛାତରୁ ପଡ଼ିଯାଇଥିବା ସ୍ୱାମୀ ଲିପନ୍ କହିଥିଲେ । କିନ୍ତୁ ନିକିତାଙ୍କୁ ସ୍ଵାମୀ ଲିପନ ଛାତରୁ ଠେଲି ହତ୍ୟା କରିଥିବାର ତାଙ୍କ ବାପ ଘର ଲୋକେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ଏପରିକି ନିକିତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।
ନିକିତା ଅନେକ ଟିଭି ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଧାରାବାହିକ ଏସିପି ନିକିତା ତାଙ୍କୁ ଘରେ ଘରେ ପରିଚିତ କରାଇପାରିଥିଲା । ତୁ ମୋ ଆଖିର ତାରା, ଚୋରି ଚୋରି ମନ ଚୋରି ଏବଂ ମଥାରେ ଦେଇ ପାଟ ଓଢଣୀ ଭଳି ବିଭିନ୍ନ ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି ।