ବାଲେଶ୍ୱର: ଜନଶୁଣାଣୀ ବେଳେ ହାତାହାତି। ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧିନସ୍ଥ ସେଖସରେଇ (କ) ବାଲି ସୈରାତ ପାଇଁ ଆୟୋଜିତ ଜନଶୁଣାଣି ରଣକ୍ଷେତ୍ରରେ ପରିଣତ ହୋଇଛି। ବାଲି ଖନନ ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ଚାଲିଥିବା ଏହି ପ୍ରକ୍ରିୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ଶେଷରେ ଜନଶୁଣାଣିକୁ ଅଧାରୁ ସ୍ଥଗିତ ରଖାଯାଇଛି।
ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ଜାଲେଶ୍ବର ତହସିଲ ଅନ୍ତର୍ଗତ ଶେକସରାଇ (କ) ବାଲି ସୈରାତ ବାବଦ ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସର୍ବସାଧାରଣ ଶୁଣାଣୀ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ହେମନ୍ତ ସିଂ ଓ ଡି ଏସ ପି ମାନସ କୁମାର ଦେଓ, ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି ଉପସ୍ଥିତରେ ଏହି ସର୍ବ ସାଧାରଣ ଶୁଶାଣି ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଆୟୋଜନ ହୋଇଥିଲା। ଶୁକ୍ରବାର ସକାଳେ ମହମ୍ମଦନଗର ପାଟଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏହି ଜନଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜନ ଶୁଣାଣି ଆରମ୍ଭରୁ ଲୋକଙ୍କ ହଟଗୋଳ ଦେଖିବାକୁ ମିଳିଥିଲା। ୨୦୧୫ ମସିହାର ଏହି ସୈରାତକୁ ନିଲାମ ହୋଇଥିଲେ ଶୁଦ୍ଧା ଏପର୍ଯ୍ୟନ୍ତ କୌଣସି ବାଲି ଉତ୍ତୋଳନ ହୋଇ ନଥିଲା । ଦୀର୍ଘ ୧୦ ବର୍ଷ ପରେ କେଉଁ ଆଧାର ରେ ଜନ ଶୁଣାଣି ହେଉଛି ତାକୁ ନେଇ ପ୍ରଶାସନକୁ ପ୍ରଶ୍ନ କରିଥିଲେ ସାଧାରଣ ଲୋକେ।
ସେଖସରେଇ ଗ୍ରାମର ୫.୬୬୫ ହେକ୍ଟର ପରିମିତ ଅଞ୍ଚଳରେ ଥିବା ବାଲି ଖଦାନରୁ ଖନନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ମତାମତ ଲୋଡ଼ାଯାଇଥିଲା। ଶୁଣାଣି ଚାଲିଥିବା ବେଳେ ବାଲି ଉତ୍ତୋଳନକୁ ସପକ୍ଷ ଓ ବିପକ୍ଷରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହା ଦେଖୁଦେଖୁ ଉଗ୍ରରୂପ ଧାରଣ କରିଥିଲା ଏବଂ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଓ ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରାଯାଇଥିଲା। ଉତ୍ତେଜନା ଦେଖାଦେବାରୁ ସୁରକ୍ଷା ଦୃଷ୍ଟିରୁ ଜନଶୁଣାଣିକୁ ଅଧାରୁ ବନ୍ଦ ରଖାଯାଇଛି। ବାଲି ଖନନ ଦାରା ପରିବେଶ ଉପରେ ପଡ଼ିବାକୁ ଥିବା ପ୍ରଭାବ ଓ ସ୍ଥାନୀୟ ସମସ୍ୟାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏହି ସଂଘର୍ଷର ମୁଖ୍ୟ କାରଣ ବୋଲି କୁହାଯାଉଛି। ବର୍ତ୍ତମାନ ପାଇଁ ଉକ୍ତ ଅଞ୍ଚଳରେ ପରିସ୍ଥିତି ଉପରେ ନଜର ରଖାଯାଇଛି।
ଅଧିକ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପରେ ଥରିଲା କଲିକତା; ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଲେ ଲୋକେ