ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ନିଖିଳ ଓଡ଼ିଶା ଠିକାଦାର ସଂଘ ଆଜି ରାଜଧାନୀ ଭୁବନେଶ୍ୱରରେ ଆମରଣ ଅନଶନ କରିଛନ୍ତି । ଠିକାଦାରଙ୍କୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଠିକାଦାରମାନେ ଯେଉଁଭଳି ଭାବେ ନିଷ୍ପତ୍ତି ନେଉଛନ୍ତି ତାହା ବନ୍ଦ କରିବା ଉଚିତ । ସରକାରଙ୍କୁ ସହଯୋଗ କଲେ ସେମାନେ ଲାଭବାନ ହେବେ । ଜବରଦସ୍ତ କାମ ବନ୍ଦ କଲେ ତାକୁ ଗ୍ରହଣ କରାଯିବ ନାହିଁ । ତେବେ ଯେଉଁମାନେ ପଛରେ ରହି ଠିକାଦାରମାନମଙ୍କୁ ଉସକାଉଛନ୍ତି ଠିକାଦାରମାନେ ହିଁ ଅସୁବିଧାରେ ହିଁ ପଡ଼ିବେ ।
ଗତ ଫେବୃଆରୀ ୨୦ରୁ ୮ ଦଫା ଦାବି ନେଇ ଠିକାଦାର ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି । ତିନୋଟି ପ୍ରମୁଖ ସଂଘ, ଅଲ୍ ଓଡ଼ିଶା ଠିକାଦାର ମହାସଂଘ, ଅଲ୍ ଓଡ଼ିଶା ଠିକାଦାର ୱେଲଫେୟାର ଆସୋସିଏସନ୍ ଓ ଅଲ୍ ଓଡ଼ିଶା ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଆସୋସିଏସନ୍ ପକ୍ଷରୁ ମିଳିତ ଆନ୍ଦୋଳନ ଡାକରା ଦିଆଯାଇଛି । ଟେଣ୍ଡର ମୂଲ୍ୟକୁ ଶୂନ୍ୟ ପ୍ରତିଶତ କରିବାକୁ ପ୍ରକାଶ ପାଇଥିବା ସର୍କୁଲାର ରଦ୍ଦ, କୋଡାଲ୍ ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ନିୟମିତ ଭାବେ ସିଡ୍ୟୁଲ ଅଫ୍ ରେଟ୍ସ ସ୍ଥିର କରିବା ନଚେତ୍ ୧୫ ପ୍ରତିଶତ ବୃଦ୍ଧି, ଏକ ରାଜ୍ୟ ଏକ ଆଇନ ଅର୍ଥାତ୍ ସମଗ୍ର ରାଜ୍ୟରେ ଏସବିଡି ପ୍ରଚଳନ ଏବଂ ମଧ୍ୟସ୍ଥତା ଧାରାର ସଂଯୋଗ, ସଚଳ ଖଣି ଗୁଡ଼ିକର ତାଲିକା ପ୍ରସ୍ତୁତ କରି ଟେଣ୍ଡରରେ ଖଣିର ନାମ ଉଲ୍ଲେଖ କରିବା, ଜରିମାନା ଛାଡ଼, ଦରଦାମ ବୃଦ୍ଧିର ହିସାବ ଓ ୱାମିସ୍ ସ୍ଥାନାନ୍ତର ଦାବି ରହିଛି ।