ପଶିମବଙ୍ଗ: କୋଲକାତାରେ ଶକ୍ତିଶାଳୀ ଭୂମିକମ୍ପ। ଆଜି ଦିନ ପ୍ରାୟ ୧ଟା ୨୨ ମିନିଟରେ କୋଲକତା ଏବଂ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲାରେ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ କରାଯାଇଛି। ଭୂକମ୍ପ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି।
ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା। ଏହି ଝଟକା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅନେକ ଲୋକ ଅଫିସ ଏବଂ କୋଠାରୁ ବାହାରକୁ ବାହାରି ଆସିଥିଲେ। କେନ୍ଦ୍ରସ୍ଥଳ ସହରଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିଲା। ଭୂମିକମ୍ପର ତୀବ୍ରତା ନେଇ ଅନିଶ୍ଚିତତା ମଧ୍ୟରେ ଅନେକ ବାଣିଜ୍ୟିକ କେନ୍ଦ୍ରରେ କର୍ମଚାରୀମାନେ ମଧ୍ୟ ଶୀଘ୍ର କର୍ମକ୍ଷେତ୍ର ଖାଲି କରି ଖୋଲା ସ୍ଥାନରେ ଏକାଠି ହୋଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଭୂକମ୍ପ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ହସ୍ତଗତ ହୋଇପାରିନାହିଁ।
ତେବେ ଏହା ପୂର୍ବରୁ ଭାରତର ପଡୋଶୀ ଦେଶ ନେପାଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୪.୭ ଥିଲା । ଏହାର କେନ୍ଦ୍ରସ୍ଥଳ ନେପାଳର ସାନଖୁବାସଭା ଜିଲ୍ଲାରେ ଥିଲା ଏବଂ ଆଖପାଖର ଅନେକ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଆଜି ଭୋର ପ୍ରାୟ ୩ଟା ୧୮ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଲୋକମାନେ ଗଭୀର ନିଦରେ ଶୋଇଥିବାବେଳେ ଭୂକମ୍ପ ଅନୁଭୂତ ହେବାରୁ ଭୟରେ ଘରୁ ବାହାରକୁ ଆସିଥିଲେ। କାଠମାଣ୍ଡୁରୁ ପ୍ରାୟ ୪୦୦ କିଲୋମିଟର ପୂର୍ବରେ ସାନଖୁବାସଭା-ତାପଲେଜଙ୍ଗ ସୀମାବର୍ତ୍ତୀ ଅଞ୍ଚଳ ନିକଟରେ ଟୋପକେ ଗୋଲା ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ।