କେରଳ: ବିବାଦୀୟ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ-୨’ (The Kerala Story 2) ରିଲିଜ୍ ଉପରେ କେରଳ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସିନେମାଟି ଆସନ୍ତାକାଲି ଶୁକ୍ରବାର (ଫେବୃଆରୀ ୨୭) ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ଠିକ୍ ରିଲିଜ୍ ପୂର୍ବରୁ ଆଜି କୋର୍ଟ ଏହା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।
ଜଷ୍ଟିସ୍ ବେଚୁ କୁରିଆନ୍ ଥମାସଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଚଳଚ୍ଚିତ୍ରର ସେନ୍ସର ବୋର୍ଡ (CBFC) ପ୍ରମାଣପତ୍ରକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନର ଶୁଣାଣି କରି ଏହି କଠୋର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବେଚୁ କୁରିଆନ୍ ଥୋମାସ୍ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତାମାନେ କୋର୍ଟଙ୍କୁ ଏହି ସିନେମା ଦେଖାଇବା ପାଇଁ ଆଗ୍ରହୀ ନଥିଲେ। ଏହି ଚଳଚ୍ଚିତ୍ର ବିରୋଧରେ ଆଗତ ଏକ ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ନିର୍ମାତାଙ୍କ ପକ୍ଷରୁ ଏଯାଏଁ ଏହି ନିଷ୍ପତ୍ତି ଉପରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
କୋର୍ଟ ମୌଖିକ ଭାବରେ ମନ୍ତବ୍ୟ ଦେଇଛନ୍ତି ଯେ ପ୍ରଥମ ଦୃଷ୍ଟିରୁ ଏହା ଜଣାପଡୁଛି ଯେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡ (CBFC) ଚଳଚ୍ଚିତ୍ରକୁ ପ୍ରମାଣପତ୍ର ପ୍ରଦାନ କରିବା ସମୟରେ ଉପଯୁକ୍ତ ଗମ୍ଭୀରତା ଏବଂ ବିବେଚନା ପ୍ରୟୋଗ କରିନାହିଁ। କୋର୍ଟ ସିଧାସଳଖ ସେନ୍ସର ବୋର୍ଡର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଚଳଚ୍ଚିତ୍ରକୁ ପୁନଃପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେନ୍ସର ବୋର୍ଡକୁ ଦୁଇ ସପ୍ତାହର ଅଲଟିମେଟମ୍
କୋର୍ଟ ଆବେଦନଗୁଡ଼ିକୁ ଗ୍ରହଣ କରି ଆବେଦନକାରୀଙ୍କ ଦ୍ୱାରା ଉଠାଯାଇଥିବା ପଏଣ୍ଟ ଏବଂ ଫିଲ୍ମର ବିଷୟବସ୍ତୁ ଉପରେ ପୁନର୍ବିଚାର କରିବାକୁ CBFCକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଦୁଇ ସପ୍ତାହ ମଧ୍ୟରେ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଯେପର୍ଯ୍ୟନ୍ତ CBFCର ନିଷ୍ପତ୍ତି ନପଡ଼ିଛି, ସେପର୍ଯ୍ୟନ୍ତ ଫିଲ୍ମର ମୁକ୍ତିଲାଭ ସ୍ଥଗିତ ରହିବ। ତଥାପି, ଓକିଲ ଅତୁଲ ରୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅନ୍ୟ ଏକ ରିଟ୍ ପିଟିସନ୍ ମେଣ୍ଟେବଲ ନୁହେଁ ବୋଲି କୋର୍ଟ ଖାରଜ କରିଦେଇଛନ୍ତି।
‘ଦ କେରଳ ଷ୍ଟୋରୀ-୨’ରେ କେରଳ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଧର୍ମ ପରିବର୍ତ୍ତନ ପ୍ରସଙ୍ଗକୁ ଚିତ୍ରଣ କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହା ଧର୍ମନିରପେକ୍ଷତା ପ୍ରତି ଏକ ବିପଦ ଏବଂ କେରଳ ବିରୋଧରେ ଏକ ମିଥ୍ୟା ପ୍ରଚାର। ରାଜ୍ୟର ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ପ୍ରଯୋଜକ ବିପୁଲ ଅମୃତଲାଲ ଶାହା ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଏହି ଚଳଚ୍ଚିତ୍ର କେରଳ ରାଜ୍ୟ ବିରୋଧରେ ନୁହେଁ। ସେନ୍ସର ବୋର୍ଡ (CBFC) ଗତ ସପ୍ତାହରେ ଏହାକୁ ‘U/A’ ସାର୍ଟିଫିକେଟ୍ ଦେଇଥିଲା। ଏହି ଚଳଚ୍ଚିତ୍ରରେ ଉଲକା ଗୁପ୍ତା, ଅଦିତି ଭାଟିଆ ଏବଂ ଐଶ୍ୱର୍ଯ୍ୟା ଓଝା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।