ନୂଆଦିଲ୍ଲୀ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ଭୀଷଣ ଲଢେଇ ଆରମ୍ଭ ହୋଇ ଯାଇଛି । ପାକିସ୍ତାନୀ ସେନା ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକ ଜବାବରେ ଆଫଗାନିସ୍ତାନ ସୀମା ବଳ ପୂର୍ବ ପ୍ରାନ୍ତରେ ଲଢେଇ ଆରମ୍ଭ କରି ଦେଇଛି । ଆଫଗାନିସ୍ତାନର ସୈନ୍ୟ ୟୁନିଟ୍ ୨୦୧ ଖାଲିଦ ବିନ ୱଲିଦ କପର୍ସର ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ଆଫଗାନିସ୍ତାନ ସରକାର ଦାବି କରିଛନ୍ତି ଯେ, ତାଙ୍କ ସେନା ପାକିସ୍ତାନର ୧୫ ସୀମା ଚେକ୍ ପୋଷ୍ଟ କବଜା କରିଛି । ଏଥିରେ ଅନେକ ପାକିସ୍ତାନୀ ସୈନିକ ନିହତ ହୋଇଥିବା ବେଳେ ଆଉ କିଛି ଜଣଙ୍କୁ ଜୀବନ୍ତ ଧରା ଯାଇଛି ।
ମୁଖପାତ୍ରଙ୍କ ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ସିଧାସଳଖ ପାକିସ୍ତାନର ଏୟାରଷ୍ଟ୍ରାଇକ ପରେ ଆରମ୍ଭ ହୋଇଛି । ଏହା ପରେ ସୀମା କ୍ଷେତ୍ରରେ ଦ୍ରୁତ ଗତିରେ ଉତ୍ତେଜନା ବୃଦ୍ଧି ପାଇଛି । ତାଲିବାନ ମୁଖପାତ୍ର ଦାବି କରିଛନ୍ତି ଯେ, ସୀମାରେ ଆଫଗାନ ସେନା ବ୍ୟାପକ ସାମରିକ ଅଭିଯାନ ଆରମ୍ଭ କରି ଦେଇଛନ୍ତି ।
ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଖୋସ୍ତ, ପକତିଆ ଓ ନୁରିସ୍ତାନ ପ୍ରାନ୍ତ ସହିତ ଅନେକ କ୍ଷେତ୍ରରେ ପାକିସ୍ତାନୀ ସେନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ଅନେକ ସ୍ଥାନରେ ସଂଘର୍ଷ ଜାରି ରହିଛି । ସୀମାରେ ମାହୋଲ ଉତ୍ତେଜନାପୂର୍ଣ୍ଣ ରହିଛି ।
ସୂଚନା ଅନୁଯାୟୀ, ରାତି ୯ଟା ୩୦ ରୁ ଆଫଗାନିସ୍ତାନ ସେନା ନାଙ୍ଗରହାର-ଖାଇବର ସୀମା ଏବଂ କୁନାର-ବାଜୌର ସୀମାରେ ପ୍ରବଳ ଆକ୍ରମଣ ଆରମ୍ଭ କରିଛି। ଆଫଗାନିସ୍ତାନ ସେନା ଟ୍ୟାଙ୍କ, ତୋପ, ରକେଟ୍ ଏବଂ ମୋର୍ଟାର ବ୍ୟବହାର କରୁଛି। ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ଦାବି କରିଛନ୍ତି ଯେ ଆଫଗାନିସ୍ତାନ ସେନା ୧୫ଟି ପାକିସ୍ତାନୀ ପୋଷ୍ଟକୁ କବଜା କରିଛି। ଆଫଗାନିସ୍ତାନ ମୁଖପାତ୍ର ଏହା ମଧ୍ୟ ଦାବି କରିଛନ୍ତି ଯେ କୁନାର ସୀମାରେ ୪୦ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତଦେହ ଆଫଗାନିସ୍ତାନ ସୈନିକମାନେ ନେଇଯାଇଛନ୍ତି।