ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜସ୍ଥାନର ଜୈସଲମେରଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ରେ ଏକ ସଫଳ ଉଡ଼ାଣ କରିଛନ୍ତି। ଏହି ଐତିହାସିକ ଉଡ଼ାଣ ସହ ସେ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ‘ପ୍ରଚଣ୍ଡ’ ହେଲିକପ୍ଟରରେ ଉଡ଼ିବାର ଗୌରବ ଅର୍ଜନ କରିଛନ୍ତି। ଜୈସଲମେର ବାୟୁସେନା ଷ୍ଟେସନରୁ ୨୫ ମିନିଟ୍ ପାଇଁ ଆକାଶରେ ମାର୍ଗଦର୍ଶନ କରିଥିଲେ। ସେ କୋ-ପାଇଲଟ୍ ଆସନରେ ବସିଥିବା ବେଳେ ଗ୍ରୁପ୍ କ୍ୟାପଟେନ ଏନ.ଏସ. ବହୁଆ ଏହାକୁ ଚଳାଉଥିଲେ।
'ଆତ୍ମନିର୍ଭର ଭାରତ'ର ପ୍ରତିରକ୍ଷା ଶକ୍ତିର ପ୍ରଦର୍ଶନ ପ୍ରଚଣ୍ଡ
ସ୍ୱଦେଶୀ ପ୍ରତିରକ୍ଷା ଶକ୍ତିର ପ୍ରଦର୍ଶନ ଏବଂ ବାୟୁସେନାର ମନୋବଳ ବଢ଼ାଇବା ପାଇଁ ସେ ଏହି ଉଡ଼ାଣ କରିଥିଲେ। ଏହି ସମୟରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏପି ସିଂ ମଧ୍ୟ ଅନ୍ୟ ଏକ ହେଲିକପ୍ଟରରେ ସାଙ୍ଗରେ ଥିଲେ। ଉଡ଼ାଣ ପୂର୍ବରୁ ହେଲିକପ୍ଟରର କ୍ୟାପ୍ଟେନ୍ ରାଷ୍ଟ୍ରପତିଙ୍କୁ ଏହାର କ୍ଷମତା ବିଷୟରେ ବିସ୍ତୃତ ଭାବେ ବୁଝାଇ କହିଥିଲେ। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଖୋଇ-୩୦ MKI ଏବଂ ରାଫେଲ ଯୁଦ୍ଧ ବିମାନରେ ମଧ୍ୟ ଉଡ଼ାଣ କରିସାରିଛନ୍ତି।
'ପ୍ରଚଣ୍ଡ'ର କାର୍ଯ୍ୟଦକ୍ଷତା
ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ହାଲ ଦ୍ୱାରା ନିର୍ମିତ ଏହି ‘ପ୍ରଚଣ୍ଡ’ ହେଲିକପ୍ଟର ବିଶ୍ୱର ଏକମାତ୍ର ଆଟାକ ହେଲିକପ୍ଟର ଯାହା ୫,୦୦୦ ମିଟରରୁ ଅଧିକ ଉଚ୍ଚତାରେ ଅବତରଣ ଓ ଉଡ଼ାଣ କରିପାରେ। ପ୍ରଚଣ୍ଡ ମରୁଭୂମି, ଉଚ୍ଚଭୂମି ସମେତ ବିଭିନ୍ନ ଭୂଖଣ୍ଡରେ କାର୍ଯ୍ୟ କରିବା ପାଇଁ କ୍ଷମତା ରଖିଛି। ରାତିରେ ଆକ୍ରମଣ କରିବାର ମଧ୍ୟ କ୍ଷମତା ରହିଛି ପ୍ରଚଣ୍ଡ। ଏୟାର-ଟୁ-ଗ୍ରାଉଣ୍ଡ, ଏୟାର-ଟୁ-ଏୟାର ମିସାଇଲ୍, ରକେଟ୍ ଓ ୨୦ ଏମଏମ ଗନ୍ ଭଳି ଅସ୍ତ୍ରଶସ୍ତ୍ର ବହନ କରିପାରେ। ଏହା ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତାକୁ ବହୁଗୁଣ ବୃଦ୍ଧି କରିଛି। ପ୍ରଚଣ୍ଡ ଆତ୍ମନିର୍ଭର ଭାରତର ଏକ ଶକ୍ତିଶାଳୀ ଉଦାହରଣ।