ଭୁବନେଶ୍ୱର: ଏଣିକି ଅଙ୍ଗନବାଡ଼ିର ପିଲା ପିନ୍ଧିବେ ଉଚ୍ଚ ମାନର ପୋଷାକ । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରାକ୍ ବିଦ୍ୟାଳୟ ପୋଷାକ ମୂଲ୍ୟକୁ ବଢ଼ାଯାଇଛି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ମୁତାବକ, ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନା ଅଧିନରେ ଅଙ୍ଗନବାଡ଼ି ପିଲାଙ୍କ ପୋଷାକ ଏବଂ ଶୀତକାଳିନ ସାମଗ୍ରୀରେ ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ବାଳକଙ୍କ ଏବଂ ବାଳିକାଙ୍କ ପାଇଁ ପୋଷାକ ପାଇଁ ୭୫ ଟଙ୍କା ବୃଦ୍ଧି କରାଯାଇଛି । ପୂର୍ବରୁ ବାଳକଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ଥିବାବେଳେ ତାହା ବଢ଼ି ୧୭୫ ହୋଇଛି । ସେହିପରି ପୂର୍ବରୁ ବାଳିକାଙ୍କ ପୋଷାକ ପାଇଁ ଖର୍ଚ୍ଚ ୧୫୦ ଟଙ୍କା ହେଉଥିବା ବେଳେ ତାହା ୨୨୫ ଟଙ୍କାକୁ ବୃଦ୍ଧି ପାଇଛି । ଏହା ସହିତ ଜୋତା ଓ ମୌଜା ପାଇଁ ୧୦୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ତାହା ୧୫୦ ଟଙ୍କା ହୋଇଛି । ସ୍ୱେଟର୍ ପାଇଁ ୧୫୦ ଟଙ୍କା ଦିଆଯାଉଥିବାବେଳେ ୨୦୦ ଟଙ୍କା ଦିଆଯାଇଛି । ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ଲାଗୁ ହେବ । ରାଜ୍ୟର ମୋଟ ୭୪ ହଜାର ୨୨୪ ଟି ଅଙ୍ଗନବାଡ଼ି କେନ୍ଦ୍ରର ୧୪ ଲକ୍ଷ ୭୬ ହଜାର ପିଲା ପୋଷାକ ପାଇବେ ।