ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ଉଜ୍ଜୈନରେ ଥିବା ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରରେ ଭିଆଇପିଙ୍କ ଦର୍ଶନ ଜାରି ରହିବ । ଏହା ଉପରେ ରୋକ୍ ଲଗାଇବାକୁ ଆସିଥିବା ଯାଚିକା ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ଏଭଳି ଆବେଦନକର୍ତ୍ତା ପ୍ରକୃତ ଶ୍ରଦ୍ଧାଳୁ ନୁହଁନ୍ତି ବରଂ ଏମାନଙ୍କ ଉଦ୍ଦେଶ୍ୟ ଭିନ୍ନ କିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଦର୍ପଣ ଅବସ୍ଥିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ଯେ ଏମାନେ ଶ୍ରଦ୍ଧାଳୁ ନୁହଁନ୍ତି । ଏହା ଉପରେ ଆଉ ଆଗକୁ ଟିପ୍ପଣୀ କରିବାକୁ ମନା କରିଥିଲେ । ଏହି ଲୋକମାନଙ୍କର ଉଦ୍ଦେଶ୍ୟ କିଛି ଭିନ୍ନ ଅଟେ । କ’ଣ କରାଯିବା ଉଚିତ ନା ନାହିଁ, ସେ ନିଷ୍ପତ୍ତି ନେବା କୋର୍ଟଙ୍କ କାମ ନୁହେଁ । ଆମେ କେବଳ ନ୍ୟାୟିକ ପ୍ରକ୍ରିୟା ପାଇଁ ଅଛୁ ବୋଲି କହିଛନ୍ତି ସିଜେଆଇ । ଏହା ସହିତ କୋର୍ଟ ଯାଚିକାକୁ ଖାରଜ କରିଛନ୍ତି । ତତସହିତ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ଆବେଦନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ଆବେଦନକାରୀଙ୍କ ପକ୍ଷରୁ ମାମଲା ପକ୍ଷରୁ ରଖୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ଗର୍ଭ ଗୃହ ପ୍ରବେଶରେ ସମାନ ନିୟମ ରହିବା ଆବଶ୍ୟକ । ଏହା ଅନୁଚ୍ଛେଦ-୧୪ର ଉଲ୍ଲଂଘନ ଅଟେ । ସେ ଭିଆଇପି ହୁଅନ୍ତୁ କିମ୍ବା ସାଧାରଣ ଶ୍ରଦ୍ଧାଳୁ ସମସ୍ତଙ୍କ ପାଇଁ ସମାନ ନିୟମ ରହିବା ଆବଶ୍ୟକ । ଭିଆଇପି ଦର୍ଶନ ଦ୍ୱାରା ନାଗରିକମାନଙ୍କ ସହିତ ଭେଦଭାବ କରାଯାଇ ପାରିବ ନାହିଁ । ଯଦି କେହି ଜିଲ୍ଲାପାଳଙ୍କ ସୁପାରିଶରେ ଗର୍ଭଗୃହକୁ ପ୍ରବେଶ କରୁଛି ତେବେ ଅନ୍ୟମାନଙ୍କୁ ମଧ୍ୟ ସେହି ଅଧିକାର ମିଳିବା ଦରକାର ।
ଦର୍ପଣ ଅବସ୍ଥି ପୂର୍ବରୁ ମଧ୍ୟ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟରୁ ନିରାଶ ହୋଇ ସୁପ୍ରିମକୋର୍ଟ ଆସିଥିଲେ ।