ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଶଙ୍କରାଚାର୍ଯ୍ୟ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି । କ୍ରମାଗତ ଦୁଇ ଜଣ ବରିଷ୍ଠ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇ ସାରିଲେଣି । ବରେଲୀ ମାଜିଷ୍ଟ୍ରେଟ୍ ଯୋଗୀ ଆଦିତ୍ୟନାଥଙ୍କୁ ବିରୋଧ କରି ଇସ୍ତଫା ଦେଇଥିବାବେଳେ ଅଯୋଧ୍ୟା ଜିଏସଟି ଉପାୟୁକ୍ତ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଇସ୍ତଫା ଦେଇଛନ୍ତି ।
ଜିଏସଟି ଉପାୟୁକ୍ତ ପ୍ରଶାନ୍ତ କୁମାର ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦୁଇ ପୃଷ୍ଟା ସମ୍ବଳିତ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ନେ ସେ ଗଭୀର ମର୍ମାହତ ଅଟନ୍ତି । ସ୍ୱାମୀ ଅଭିମୁକ୍ତେଶ୍ୱକାନନ୍ଦଙ୍କ ଟିପ୍ପଣୀ ଅଭଦ୍ର, ଅମାର୍ଯିତ ଓ ଅନର୍ଗଳ ପ୍ରଳାପ । ଏହା କେବଳ ଜଣେ ବ୍ୟକ୍ତିଙ୍କ ବିରୋଧରେ ନୁହେଁ ବରଂ ଗଣତାନ୍ତ୍ରିକ ଢାଞ୍ଚା, ସମ୍ବିଧାନ ଏବଂ ଜନାଦେଶ ଉପରେ ସିଧା ଆକ୍ରମଣ ବୋଲି ଉପାୟୁକ୍ତ କହିଛନ୍ତି । ସେ ଇସ୍ତଫା ପତ୍ରରେ ଆହୁରି ଲେଖିଛନ୍ତି ଯେ କେବଳ ସରକାରୀ ଅଧିକାରୀଭାବେ ନୁହେଁ ଏହା ତାଙ୍କର ରାଜକୀୟ ଧର୍ମ । ଏହା ସେହି ବ୍ୟବସ୍ଥା ଏବଂ ନେତୃତ୍ୱ ପ୍ରତି ସମ୍ମାନ ଅଟେ । ତତସହିତ ସେ ଶଙ୍କରାଚାର୍ଯ୍ୟଙ୍କ ଉପରେ ଜାତିଆଣ ଭେଦଭାବର ଅଭିଯୋଗ ଆଣିଛନ୍ତି ।
ଇସ୍ତଫା ଦେବା ପରେ ପ୍ରଶାନ୍ତ କୁମାର ପତ୍ନୀଙ୍କୁ ଫୋନ୍ କରି ଭୋ ଭୋ ହୋଇ କାନ୍ଦିଥିଲେ । ଆଗାମୀ ଜୀବନ ସାମାଜିକ ସେବାରେ ବିତାଇବେ ଏବଂ ନିଜର ସମସ୍ତ ସମ୍ପତ୍ତିକୁ ସାମାଜିକ କାମରେ ବିନିଯୋଗ କରିବେ ବୋଲି କହିଛନ୍ତି ।
ଏହା ପୂର୍ବରୁ ଜାନୁଆରୀ ୨୬ରେ ବରେଲି ସିଟି ମାଜିଷ୍ଟ୍ରେଟ୍ ପଦରୁ ଅଳଙ୍କାର ଅଗ୍ନିହୋତ୍ରୀ ଇସ୍ତଫା ଦେଇଥିଲେ । ସେ ଉତ୍ତର ପ୍ରଦେଶରେ ବ୍ରାହ୍ମଣ ବିରୋଧୀ ଅଭିଯାନ ଚାଲିଥିବା ଅଭିଯୋଗ କରିଥିଲେ । ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ବିରୋଧ କରିଛନ୍ତି ।