ଭୁବନେଶ୍ୱର: ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଉଛି । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ବନ୍ଦ ପାଳନ କରାଯାଉଛି । କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଛନ୍ତି । ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ମାସର ସବୁ ଶନିବାର ଛୁଟି ସହ ସପ୍ତାହକୁ ୫ ଦିନିଆ କାର୍ଯ୍ୟ କରିବାକୁ ଦାବି ହୋଇଛି ।
ଆରବିଆଇ, ଏଲଆଇସି ଓ ଜିଆଇସି ଭଳି ଅନ୍ୟାନ୍ୟ ଆର୍ଥିକ ସଂସ୍ଥାମାନଙ୍କରେ ସପ୍ତାହ ଦୁଇ ଦିନିଆ ଛୁଟି ରହୁଛି । କିନ୍ତୁ ଘରୋଇ କିମ୍ବା ସରକାରୀ ବ୍ୟାଙ୍କ ଗୁଡିକରେ କେବଳ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହୁଛି । ତେଣୁ ସବୁ ଶନିବାର ଛୁଟି କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ୨୦୧୫ରେ ସ୍ୱାକ୍ଷରିତ ଦଶମ ଦ୍ଵିପାକ୍ଷିକ ଚୁକ୍ତି ତଥା ସପ୍ତମ ଯୁଗ୍ମ ସୂଚନା ଅନୁଯାୟୀ, ଆଇବିଏ ଏବଂ ସରକାର ଏହାକୁ ସ୍ୱୀକାର କରିଥିଲେ । ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ଘୋଷିତ ହୋଇଛି । ଅନ୍ୟ ଦୁଇଟି ଶନିବାର କାର୍ଯ୍ୟ ଦିବସ ରହିଛି । ଅନ୍ୟ ଶନିବାର ଅଧା ଦିନ ବା ହାଫ୍ ଡେ ଥିବା ବେଳେ ସେଦିନ ସମ୍ପୂର୍ଣ୍ଣ ଦିନ କର୍ମଚାରୀମାନେ କାମ କରୁଛନ୍ତି । ଯାହାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।
ତେବେ ବ୍ୟାଙ୍କ ବନ୍ଦ ଯୋଗୁଁ ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଗ୍ରାହକ ମଧ୍ୟ ଆସି ଫେରି ଯାଉଛନ୍ତି । ସେପଟେ ଦ୍ୱିତୀୟ ଶନିବାର, ରବିବାର ଏବଂ ସୋମବାର ବ୍ୟାଙ୍କ ରହିଥିବାରୁ ଗ୍ରାହକଙ୍କର ଅନେକ ଜରୁରୀ କାମ ଅଟକି ରହିଛି ।