ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ନୂଆ ରାଜନୈତିକ ଦଳ ଗଠନ ହେବ ତାହା ସୁନିଶ୍ଚିତ ହୋଇସାରିଛି । ମହମ୍ମଦ ମୋକିମ ନିଜ ନୂଆ ଦଳର ନାମ ମଧ୍ୟ ସ୍ଥିର କରିସାରିଛନ୍ତି । ଖାଲି ଘୋଷଣାକୁ ବାକି ରହିଛି । ଯୁବ ସମାବେଶ ପରେ ଏବେ ମହିଳା ଏବଂ କୃଷକଙ୍କୁ ଏକାଠି କରିବେ ମୋକିମ । ଆସନ୍ତା ଜାନୁଆରୀ ୩୦ ତାରିଖରେ ମହିଳା ସମାବେଶ ହେବାକୁ ଥିବାବେଳେ ଫେବ୍ରୁଆରୀ ୫ ତାରିଖରେ କୃଷକ ସମାବେଶ ଅନୁଷ୍ଠିତ ହେବ ବୋଲି ମୋକିମ ସୂଚନା ଦେଇଛନ୍ତି ।
ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଓଡ଼ିଶା କେନ୍ଦ୍ରିକ ଦଳ ହେବ ଏବଂ ଲୋକଙ୍କ ଦଳ ହେବ । ଓଡ଼ିଶାକୁ ଛାଡ଼ି ହେବ ନାହିଁ । ଯେହେତୁ ସେ କଂଗ୍ରେସ ଦଳରୁ ଆସିଛନ୍ତି ସେଥିପାଇଁ ନୂତନ ଦଳର ନାମ ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ହୋଇପାରେ । ବିଭିନ୍ନ ଦଳର ନେତା ନିଲମ୍ବିତ ହେଉଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରାଯାଉଛି । ବିଭିନ୍ନ ବର୍ଗର ନେତାଙ୍କ ସହିତ ଆଲୋଚନା ଜାରି ରହିଛି ।
ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଦଳର ପଞ୍ଜିକରଣ ନେଇ ପ୍ରସ୍ତୁତି ଜାରି ରହିଛି । ଏଥିପାଇଁ ମାର୍ଚ୍ଚ ମାସ ଯାଏ ସେ ସମୟ ଦେଇଛନ୍ତି ବୋଲି କହିଛନ୍ତି । ଖୁବ ଶୀଘ୍ର ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଞ୍ଚିବୁ ବୋଲି ମୋକିମ୍ କହିଛନ୍ତି ।
ସେହିପରି ଝିଅ ସୋଫିଆ ଫିର୍ଦ୍ଦୋସ୍ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ବାପା ମୋକିମ୍ ସ୍ପଷ୍ଟିକରଣ ଦେଇଛନ୍ତି । ଯେହେତୁ ସୋଫିଆ ମୋକିମ ଫାଉଣ୍ଡେସନର ଟ୍ରଷ୍ଟି ଅଛନ୍ତି ସେଥିପାଇଁ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।