ଭୁବନେଶ୍ୱର: ଆଜିଠାରୁ ଦୁଲିକିବ ଖଣ୍ଡଗିରି । ଯାତ୍ରା କଳାକାରଙ୍କ ସଂଳାପରେ ବାଜିବ ତାଳି । ତେବେ ଚଳିତ ବର୍ଷ ମଧ୍ୟ ଅଶ୍ଳୀଳତା ଉପରେ କଡ଼ା କଟକଣା ଲଗାଯାଇଛି । ଯେଉଁମାନେ ଅମାନିଆ ହେବେ ସେମାନଙ୍କ ଉପରେ ସରକାରୀ ଠେଙ୍ଗା ବାଜିବା ନେଇ ପୁଣି ଥରେ ଚେତାଇ ଦେଇଛନ୍ତି ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ।
ବିଧାୟକ କହିଛନ୍ତି ଯେ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କଟକଣା ନେଇ ସମସ୍ତ ଯାତ୍ରା କମିଟି ସହିତ ଆଲୋଚନା ହୋଇଛି । ଅଶ୍ଳୀଳ ନୃତ୍ୟକୁ ଆଦୌ ପ୍ରଶ୍ରୟ ନ ଦେବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ପୋଲିସ ପକ୍ଷରୁ ସବୁ ଯାତ୍ରା କମିଟିକୁ ୧୪ ସୂତ୍ରୀ ନିୟମ ଜାରି ହୋଇଛି ଗତବର୍ଷ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତା ବନ୍ଦ ହୋଇଥିଲା । ଏଥର ବି ବନ୍ଦ ରହିବ । ଯଦି ଯେଉଁମାନେ ଅମାନିଆ ହେବେ ସେମାନଙ୍କ ଉପରେ ସରକାରୀ ଠେଙ୍ଗା ବାଜିବ ।
ଜାନୁଆରୀ ୨୭ରୁ ଫେବ୍ରୁଆର ୭ ତାରିଖ ଯାଏ ଖଣ୍ଡଗିରିରେ ଯାତ୍ରା ଚାଲିବ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ। ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ । ‘ଅଶାକ ସମ୍ରାଟ’, ‘କୋଣାର୍କ ଗଣନାଟ୍ୟ’, ‘ସିଂହବାହିନୀ’, 'ଧଉଳି ଗଣନାଟ୍ୟ', ‘ସ୍ୱର୍ଣ୍ଣ ମହଲ’ ‘ଅପେରା ଶ୍ରୀମନ୍ଦିର’ ଓ ‘ଇନ୍ଦ୍ରଭୁବନ’ ଭଳି ପ୍ରଖ୍ୟାତ ଅପେରା ପାର୍ଟି ପକ୍ଷରୁ ନାଟକ ପରିବେଷଣ ହେବ ।