ଭୁବନେଶ୍ୱର: ଦୀର୍ଘ ଦିନ ପରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି । ଶୁକ୍ରବାର ପ୍ରଶ୍ନକାଳ ସୁରୁଖରେ ଚାଲିଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି । ମୁଖ୍ୟ ବିରୋଧୀ ବିଜୁ ଜନତା ଦଳର ସମସ୍ତ ସଦସ୍ୟ ଉପସ୍ଥିତ ମଧ୍ୟ ଅଛନ୍ତି ।
ଗତ କିଛି ଦିନ ହେବ ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେଡ଼ି ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ପ୍ରଶ୍ନ କାଳ ଚାଲି ପାରୁ ନ ଥିଲା । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ କଂଗ୍ରେସ ଲଗାତର ନାରାବାଜି କରୁଥିବାବେଳେ ବିଜେଡ଼ି ସଂରକ୍ଷଣ ଦାବିରେ ପ୍ରତିବାଦ କରୁଥିଲା । ଫଳରେ ବାରମ୍ବାର ପ୍ରଶ୍ନକାଳ ଭଣ୍ଡୁର ହୋଇଯାଉଥିଲା । ଗତକାଲି ମଧ୍ୟ ଗୃହ ଭିତର ରୋଚକ ସ୍ଥିତି ଦେଖିବାକୁ ମିଳିଥିଲା । ବିଜେଡ଼ି ସଦସ୍ୟମାନେ ଗୃହ ଭିତରେ ଏବଂ ବାହାରେ ଗଙ୍ଗାଜଳ ଛିଞ୍ଚି ପ୍ରତିବାଦ କରୁଥିବାର ଦେଖାଯାଇଥିଲା । ଅନ୍ୟପକ୍ଷରେ ନିଲମ୍ବନ ଆଦେଶ ଯୋଗୁଁ କଂଗ୍ରେସ ସଦସ୍ୟମାନେ ଗୃହରେ ସିନା ପ୍ରବେଶ କରି ପାରି ନ ଥିଲେ କିନ୍ତୁ ରାଜଧାନୀକୁ ଦୋହଲାଇ ଦେଇଥିଲେ ।