ଭଦ୍ରକ: ଜଣେ ଅତିରିକ୍ତ ବିଡ଼ିଓଙ୍କ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି । ନିଜୁ ସ୍ତ୍ରୀକୁ କୁରାଢ଼ୀରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ପତ୍ନୀ ସୁଦେଶ୍ନା ଜେନା । ଅଭିଯୁକ୍ତ ସ୍ୱାମୀ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡଅଁର ଗାଁର ଦେବୀ ପ୍ରସାଦ ଜେନା । ସେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ କାର୍ଯ୍ୟାଳୟରେ ଅତିରିକ୍ତ ବିଡ଼ିଓଭାବେ କାର୍ଯ୍ୟରତ ଅଛନ୍ତି ।
ଏବିଡିଓ ଦେବୀ ପ୍ରସାଦ ଜେନା ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହିଥିଲା । ଏବିଡିଓ ଅନେକ ସମୟରେ ସ୍ତ୍ରୀକୁ ମାରଧର କରନ୍ତି । ସେଥିପାଇଁ ସ୍ତ୍ରୀ ନିଜ ବାପ ଘରେ ରହୁଥିଲେ । କିନ୍ତୁ ପିଲାମାନେ ବଡ଼ ହେବାରୁ ସେ ସ୍ୱାମୀଙ୍କ ପାଖକୁ ଫେରି ଆସିଥିଲେ । ଆଜି ସକାଳୁ ମଧ୍ୟ ଉଭୟ ସ୍ୱାମୀ ସ୍ତ୍ରୀ ମନ୍ଦିର ଯାଇଥିଲେ । କିନ୍ତୁ ଘରକୁ ଫେରିବା ପରେ ହଠାତ୍ କୌଣସି କଥାକୁ ନେଇ ଏବିଡିଓ ପତ୍ନୀଙ୍କୁ କୁରାଢ଼ୀରେ ଆକ୍ରମଣ କରିଥିଲେ । ପଡ଼ୋଶୀ ଲୋକ ତୁରନ୍ତ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ ।
ପଡ଼ୋଶୀ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରଠାରୁ ଏବିଡ଼ିଓ ଫେରାର ହୋଇଯାଇଛନ୍ତି । ନନ୍ଦିପଦା ଥାନା ପୋଲିସ ଯାଞ୍ଚ ଆରମ୍ଭ କରିଛି ।