କଟକ: ଆୟୁଷ୍ମାନ ଭାରତ ଓଡ଼ିଶାରେ ଲାଗୁ ହେବା ଏକ ଐତିହାସିକ ଦିନ ଅଟେ । ଓଡ଼ିଶାର ବିକାଶ ଇତିହାସରେ ଆଉ ଗୋଟିଏ ବିକାଶର ଫର୍ଦ୍ଦ ଯୋଡ଼ି ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଆଜି କଟକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଯୋଜନା ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟରୁ ଗତ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ନ ଥିଲେ । ଯାହାକି ଆଜିଠାରୁ ଆରମ୍ଭ ହୋଇଛି । ଆଜିଠାରୁ ଓଡ଼ିଶାବାସୀ ଏବଂ ଓଡ଼ିଶାବାହାରେ ରହୁଥିବା ଲୋକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପାଇପାରିବେ । ସେହିପରି ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଲାଗୁ ହୋଇଛି । ଧନୀ ଗରିବ ନିର୍ବିଶେଷରେ ଏଥିରେ ସମସ୍ତ ବରିଷ୍ଠ ନାଗରିକ ସାମିଲ ହେବେ । ସନ୍ତାନମାନେ ଆର୍ଥିକ ପରିସ୍ଥିତି ଯୋଗୁଁ ନିଜର ପିତା ମାତାଙ୍କର ଉତ୍ତମ ଚିକିତ୍ସା ଦେବାରେ ପଛ ଘୁଞ୍ଚା ଦିଅନ୍ତି ଏବଂ ଅଣଦେଖା କରନ୍ତି । କିନ୍ତୁ ମୋଦୀଙ୍କ ନେତୃତ୍ୱରେ ଏହା ସଫଳ ହେବାକୁ ଯାଉଛି ।
ସେହିପରି ରାଜନୈତିକ ଉଦ୍ଦେଶ୍ୟରେ ଗତ ସରକାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଜାତୀୟ ଶିକ୍ଷାନୀତିରୁ ବଞ୍ଚିତ କରିଥିଲେ । ଡବଲ ଇଞ୍ଜିନ ସରକାର ଆସିବା ପରେ ଏହା ସମ୍ଭବ ହୋଇଛି । ଏହିପରି ଭାବରେ ମୁଖ୍ୟମନ୍ତ୍ରୀ ୧୦ ମାସରେ କ’ଣ କ’ଣ ବିକାଶ ଅଭିମୁଖୀ କାର୍ୟ୍ୟ କରିଛନ୍ତି ତାହା ଗୋଟି ଗୋଟି କରି ଗଣାଇଛନ୍ତି । ବିଗତ ୧୦ ମାସରେ ୪୦୦୦ରୁ ଉର୍ଦ୍ଧ୍ୱ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ପଦବୀ ପୂରଣ ହୋଇଛି । ଆଗାମୀ ଦିନରେ ୫୦୦୦ ଦନ୍ତ ଚିକିତ୍ସିକ ପଦବୀ ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏସବୁ ମୂଳରେ ଗୋଟିଏ ଲକ୍ଷ୍ୟ, ସାଧାରଣ ଜନତାଙ୍କ ଜୀବନକୁ ଅଧିକ ସ୍ଵଚ୍ଛନ୍ଦ, ସାବଲୀଳ କରିବା ଏବଂ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା। ଆମ ସରକାର ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ସ୍ଵପ୍ନକୁ ସାକାର କରିବେ ଏବଂ ତା’ର ବହୁ ପୂର୍ବରୁ ଓଡ଼ିଶାର ଜନ ସାଧାରଣଙ୍କୁ ବିଶ୍ଵସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।
ଏହି ଅବସରରେ କଟକରେ ସାତ ମହଲା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ସ ବା ଶିଶୁ ଭବନର ନୂଆ ବିଲ୍ଡିଙ୍ଗ ଓ ଡାକ୍ତରମାନଙ୍କ ପାଇଁ ହଷ୍ଟେଲର ଉଦ୍ଘାଟନ କରାଯାଇଛି। ଏହି ନୂଆ ବିଲ୍ଡିଙ୍ଗରେ ଶଯ୍ୟା ସଂଖ୍ୟା ୪୨୨ରୁ ୮୪୬କୁ ବୃଦ୍ଧି ହୋଇଛି । ଏଥିରେ ୧୪୦ଟି ICU ବେଡ୍ ରହିଛି। ହଷ୍ଟେଲରେ ପ୍ରାୟ ୧୮୦ ଜଣ ରେସିଡେଣ୍ଟ ଡାକ୍ତର ରହିପାରିବେ।
ଏହା ସହିତ ଭୁବନେଶ୍ୱରର ରାଜ୍ୟ ମେଡିକାଲ କର୍ପୋରେସନ କ୍ୟାମ୍ପସ୍ରେ ଏକ ମାଇକ୍ରୋ-ବାୟୋଲୋଜିକାଲ୍ ଲାବୋରେଟୋରୀର ମଧ୍ୟ ଉଦ୍ଘାଟନ କରାଯାଇଛି। ଏହା ଦ୍ୱାରା ଖାଦ୍ୟ ଓ ପାଣି ସାମ୍ପଲ ଗୁଡିକର ପରୀକ୍ଷା କରାଯାଇ, ତା’ର ମାନ ନିର୍ଦ୍ଧାରଣ କରାଯାଇ ପାରିବ ।
ସୁସ୍ଥ ଓଡ଼ିଶା-ବିକଶିତ ଓଡ଼ିଶା ଗଠନରେ ସହଯୋଗ କରି ରାଜ୍ୟକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଭାବେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।