ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ଆଜି ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ତଥା ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି । ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦୁଇ ସପ୍ତାହ ମଧ୍ୟରେ ଦାବି କରିବୁ ବୋଲି ଦୀପାଳି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ନିଷ୍ପତ୍ତି ନୁହେଁ । ଏହି ଘଟଣା ମୋ ପୁରା ପରିବାରର ଭାବନା ସହ ଜଡିତ । ତେଣୁ ଆମେ ସିବିଆଇ ତଦନ୍ତ ପାଇଁ ଦାବି କରିବୁ । ଖୁବଶୀଘ୍ର ଏହି ଚିଠିକୁ ଆମେ ରାଜ୍ୟ ସରକାରଙ୍କୁ ଦେବୁ । ଏହାପରେ ରାଜ୍ୟ ସରକାର ସିବିଆଇକୁ ହସ୍ତାନର କରିବେ ।
ସୂଚନା ଥାଉ କି ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଠିକ୍ ୨ ବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ନବ ଦାସ ଙ୍କୁ ଗୁଳି କରାଯାଇଥିଲା। ଯାହାର ମାମଲା ଏବେବି ବିଚାରଧୀନ ରହିଛି । ଘଟଣାରେ ଅଭିଯୁକ୍ତ ଗୋପାଳ ଦାସ ଏବେ ଜେଲ୍ ରେ ଦିନ କାଟୁଛି। କିନ୍ତୁ କିଛି ଦିନ ହେବ ନବ ଙ୍କ ହତ୍ଯା ନେଇ ନୂଆ ନୂଆ ତଥ୍ଯ ସାମନାକୁ ଆସିଛି ଯାହା ରାଜ୍ଯ ରାଜନୀତି ମହଲରେ ହଇଚଇ ଖେଳାଇଛି।