ରାଜ୍ୟରେ ଆୟକର ବିଭାଗର ଚଢାଉ ଉପରେ ସୋସିଆଲ ମିଡିଆ ଏକ୍ସରେ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ହେଉଛି ମୋଦୀଙ୍କ ଗ୍ୟାରେଂଟି ବୋଲି କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ କିଛି ଦିନ ହେବ ଗଣମାଧ୍ୟମରେ ଶହ ଶହ କୋଟି ଟଙ୍କା ଜବତ ହେବା ଖବର ମୋତେ ବିସ୍ମିତ କରିଛି । କେନ୍ଦ୍ରୀୟ ସଂସ୍ଥାର ଚଢାଉ ଦ୍ୱାରା ଓଡ଼ିଶା ଭଳି ରାଜ୍ୟରୁ ଏକାସାଙ୍ଗରେ ଏତେ ପରିମାଣରେ ବେନାମୀ ଅର୍ଥ ଜବତ ହେବା ଚିନ୍ତାର ବିଷୟ । ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଭଳି ରାଜ୍ୟର କିଛି ବ୍ୟକ୍ତିଙ୍କ ଏହି ଟଙ୍କା ସହ ସମ୍ପର୍କ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ।
ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି ? ଘଟଣାର ସତ୍ୟାସତ୍ୟ କଣ ? ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି କି? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ? ଶ୍ରୀ ପ୍ରଧାନ ଏଭି ଭଳି ପ୍ରଶ୍ନକରିଛନ୍ତି ସେ ଆହୁରି କହିଛନ୍ତି ଯେ ନୈତିକତାର କଥା କହୁଥିବା କିଛି ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ ନୀରବ ଥିବାରୁ ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।
ଏବେ ଓଡ଼ିଶା ସମେତ ଦେଶର ଜନସାଧାରଣ ମୋଦି କି ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି । ମୋଦି ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଅର୍ଥ ଅସୁଲ କରଯିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ବୋଲି ସେ ଉଲ୍ଲେଖ କରିଛନ୍ତି ।
ଅଧିକ ପଢନ୍ତୁ :- ଟଙ୍କା ଜବତ ମାମଲାରେ ମୁଣ୍ଡ ଟେକିଲାଣି ରାଜନୀତି