ରାୟଗଡ଼ା ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କ ପାଖରେ ଠାବ କରାଗଲା ବିପୁଳ ସମ୍ପତ୍ତି । ଅଭିଯୋଗ ପରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଏକାଧିକ ଜମି,କୋଠା ସହ ଏକ ବିରାଟ ଅଟ୍ଟାଳିକା ଜବତ କରିଥିଲା ଭିଜିଲାନ୍ସ । ଏହାପରେ ଡିଏଫ୍ଓ ଶ୍ରୀ ପରିଡ଼ାଙ୍କୁ ଗିରଫ କରିବା ସହ ହେପାଜତକୁ ନିଆଯାଇ ଅଧିକ ଖୋଳତାଡ଼ ଜାରି ରହିଛି । ସୂଚନା ଅନୁଯାୟୀ, ଡିଏଫ୍ଓ ଶ୍ରୀ ପରିଡ଼ାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ କରାଯାଇଥିଲା । ଏହାପରେ ଆଜି ଏକକାଳୀନ ୭ଟି ଜାଗାରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଚଢ଼ଉ ସମୟରେ କଟକ ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟ୍ର ୪ ମହଲା ଅଟ୍ଟାଳିକା ଠାବ କରାଯାଇଥିଲା। ସୂଚନା ମୁତାବକ, ସେହି ବିରାଟ ଅଟ୍ଟାଳିକାର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।ଏହାସହ ଭୁବନେଶ୍ବର ପଳାଶୁଣିରେ ମଧ୍ୟ ୫୧୦୦ ବର୍ଗଫୁଟର ତିନି ମହଲା କୋଠା ଏବଂ କଳାରାହଙ୍ଗର ଆଶୀର୍ବାଦ ପ୍ଲାଜାରେ ଏକ ଫ୍ଲାଟ୍(ନଂ-୩୦୪), ଭୁବନେଶ୍ବର, କଟକ, ପୁରୀ ଓ ଯାଜପୁରରେ ୧୬ ମୂଲ୍ୟବାନ ଜମି ସହ ଦାମି ଦାମି କାର୍ ଠାବ କରାଯାଇଛି। ଏହାଛଡ଼ା ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଛି। ଏହାସହ ଜବତ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଓ ଜୀବନ ବୀମା ଜମା ରାଶିର ହିସାବ କରାଯାଉଛି। ଏ ନେଇ ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖାଯାଇ ତଥ୍ୟ ମଗାଯାଇଛି।
ସେହିପରି ଭୁବନେଶ୍ୱର ଏବଂ ଅନ୍ୟ ଜାଗାରୁ ମିଳିଥିବା ସମ୍ପତ୍ତିର ହିସାବ କରାଯାଉଛି । ଏବେ ସମ୍ପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିନଥିବା ବେଳେ ଏହି ସମ୍ପତ୍ତି ୬ କୋଟି ଟଙ୍କା ଟପିପାରେ ବୋଲି ଅନୁମାନ କରାଯାଉଛି। କୋଟି କୋଟି ଟଙ୍କାର ବିପୁଳ ସମ୍ପତ୍ତି ଠାବ ହେବା ପରେ ଡିଏଫ୍ଓ ଶ୍ରୀ ପରିଡ଼ାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।