କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କୁକୁଡ଼ା ବୋଝେଇ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକଟି ବାଇକକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।
ସୂଚନା ଅନୁଯାୟୀ, ଏକ ଟାଟା ଆଇଚର (କୁକୁଡ଼ା ବୋଝେଇ) ଟ୍ରକ ସାମ୍ନାପଟୁ ଏକ ବାଇକକୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ଜଣେ ଗୁରୁତର ଆରୋହୀଙ୍କୁ ଉଦ୍ଧାର କରି ପର୍ଲା ମେଡିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ।
ପ୍ରାଥମିକ ସୂଚନା ଅନୁଯାୟୀ, ସେମାନେ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡିକାଲକୁ ପଠାଇଛି। ଦୁର୍ଘଟଣା ପରେ ଟ୍ରକଟି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ିକୁ ଜବତ କରାଯାଇଛି। ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।