ପୁରୀ: ରାତି ପାହିଲେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାରେ ଅପେକ୍ଷା କରି ରହିଛନ୍ତି। ପ୍ରତିବର୍ଷର ଏହି ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ବର୍ଷ ସାରା ପ୍ରଭୁଙ୍କ ଉପରେ ଭକ୍ତ ଦେଉଥିବା ବେଲପତ୍ର ଏବଂ ଫୁଲରେ ପ୍ରଭୁ ଘୋଡେଇ ହୋଇ ରହିଥାନ୍ତି ତେଣୁ ଦର୍ଶନ ସମ୍ଭବ ହୋଇନଥାଏ।
ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୂଙ୍କ ଉପରୁ ବର୍ଷ ତମାମ ପଡ଼ି ରହିଥିବା ବେଲ ପତ୍ର, ଫୁଲ କଡା ଯାଏ। ଏଣୁ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥାଏ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସୁବିଧା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛି।
ପଙ୍କୋଦ୍ଧାର ଏକାଦଶୀ ଅବସରରେ ଲୋକନାଥଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଏକାଦଶୀ ତିଥିରେ ଭକ୍ତମାନେ ଶ୍ରୀଲୋକନାଥଙ୍କ ଶକ୍ତିକୁ ଦର୍ଶନ କରି ଅପାର କରୁଣା ଲାଭ କରିବା ସହ ଦୁରାରୋଗ୍ୟ ବ୍ୟାଧିରୁ ରକ୍ଷା ପାଆନ୍ତି ବୋଲି ଧର୍ମ ବିଶ୍ୱାସ ରହିଛି । ଏଥିପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଆରକ୍ଷୀ ଏସପି, ୫ ଜଣ ଡିସପି, ୧୫ ଜଣ ଇନିସ୍ପେକ୍ଟର, ୪୧ ଜଣ ଏସଆଇ ଓ ଏଏସଆଇ, ୭୨ ଜଣ ହାବିଲଦାର, କନେଷ୍ଟବଳ, ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।