ଆଜି ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର । ଏଥିପାଇଁ ଚଳଚଂଚଳ ହୋଇପଡିଛି ଆଠଗଡର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠ । ବିଶ୍ୱାସ କରାଯାଏ ଏହି ଦିନ ଦେବଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଏହି ଅବସରରେ ଆଜି ବାବା ଧବଳେଶ୍ୱରଙ୍କ ବଡସିଂହାର ବେଶ ଅନୁଷ୍ଠିତ ହୋଇଯାଇଛି । ଏହାସହ ଭୋର ୪ ଟା ରୁ ୧୦୮ ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟାଯାଇଥିଲା । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ତେବେ ଏହି ମାସରେ ଭଗବାନ ଶିବଙ୍କୁ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ଅନେକ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟେ ।