ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟଭିଷେକ ନୀତି ସମ୍ପାଦନ କରାଯିବ। ଦୁଇଟି ଦୁର୍ଲ୍ଲଭ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ଏହି ନୀତିକୁ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି ମଧ୍ୟ କୁହାଯାଏ। ଆଜି ଏହି ଦୁର୍ଲ୍ଲଭ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସକାଳ ପ୍ରହରରୁ ଭକ୍ତଙ୍କ ଭିଡ ଜମିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଆଜି ରତ୍ନସିଂହାସନରେ ଶ୍ରୀଜୀଉମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେବେ। ପବିତ୍ର ପୌଷ ପୂର୍ଣ୍ଣିମାରେ ସୁନାବେଶ ସହ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ମଧ୍ୟ ସମ୍ପନ୍ନ ହେବ। ପୁରାଣ ଅନୁଯାୟୀ ଆଜିର ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ। ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜ୍ୟଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ଆଧାର କରି ପ୍ରତିବର୍ଷ ଏହିଦିନ ଦେବ ମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଆସୁଛି।
ତେବେ ପୌଷ ପୂର୍ଣ୍ଣିମା ପାଇଁ ଶ୍ରୀ ଜଗନ୍ନାଥଙ୍କର ଏକ ସ୍ୱତନ୍ତ୍ର ପୁଷ୍ପବେଶ ଅନୁଷ୍ଠିତ ହୋଇଥାଏ। ସେଥିରେ ଶ୍ରୀ ଜଗନ୍ନାଥ, ବାଉଁଶ ପାତିଆ, କୁନ୍ଦ ଓ ରଜନୀଗନ୍ଧା ଫୁଲରେ ତିଆରି ପୁଷ୍ପ ଧନୁ ଓ ପୁଷ୍ପ ତୀର ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଖଡ୍ଗ, ଢାଲ ଏବଂ ହଳ ଓ ମୂଷଳ ଧାରଣ କରିଥାନ୍ତି। ଏହା ତାଙ୍କର ଏକ ଐଶ୍ୱର୍ଯ୍ୟ ବେଶ ବୋଲି ପୁରାଣର ବର୍ଣିତ। ତେବେ ସ୍କନ୍ଦପୁରାଣ’ ଅନୁସାରେ, ଶ୍ରୀ ଜଗନ୍ନାଥଙ୍କର ଏହି ଉତ୍ସବ ଅବଲୋକନ କଲେ ଅନ୍ତିମ କାଳରେ ବିଷ୍ଣୁପଦ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ଏହି ଦିନ ଅଧିକାଂଶ ଶ୍ରଦ୍ଧାଳୁମାନେ ଉପବାସ ରହି ନିଜ ପରିବାର ପାଇଁ ପୂଜାର୍ଚନା କରିଥାନ୍ତି।
ଅଧିକ ପଢନ୍ତୁ : ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ : ୧୦ ଡିଗ୍ରି ତଳେ ରହିଛି ୧୪ ସହରର