ଆଜି ଆକାଶରେ ଦେଖାଦେବ ସୁପରମୁନ । ନୂଆବର୍ଷର ପ୍ରଥମ ପୂର୍ଣ୍ଣଚନ୍ଦ୍ର ଆକାଶରେ ଦୃଶ୍ୟମାନ ହେବ । ଏହା ନିଜ ଆକାରରୁ ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଉଜ୍ବଳ ଦେଖାଦେବ । ଚନ୍ଦ୍ର ନିଜ କକ୍ଷପଥରେ ପୃଥିବୀର ସବୁଠୁ ନିକଟତର ହେବ । ଚନ୍ଦ୍ର ପୃଥିବୀର ନିକଟତର ଏବଂ ପୂର୍ଣ୍ଣ ଅବସ୍ଥାରେ ଥିବା ଯୋଗୁ ଏଭଳି ଘଟଣା ଘଟିଥାଏ । ପ୍ରାଚୀନ କାଳରେ ଜାନୁୟାରୀରେ ପଡୁଥିବା ପୂର୍ଣ୍ଣମୀରେ ଗଧିଆମାନେ ବହୁତ ବୋବାଉଥିଲେ । ତେଣୁ ଏହାକୁ ଉଲ୍ଫ ମୁନ୍ କୁହାଯାଏ ।
ଭାରତରେ ଏହି ମହାଜାଗତିକ ଦୃଶ୍ୟ ସନ୍ଧ୍ୟା ୬ରୁ ୭ଟା ଭିତରେ ଆରମ୍ଭ ହେବ। ବୈଜ୍ଞାନିକ ଭାଷାରେ ଏହାକୁ ମୁନ ଇଲ୍ୟୁଜନ କୁହାଯାଏ, ଯେଉଁଠି ଚନ୍ଦ୍ର ଅପେକ୍ଷାକୃତ ଅଧିକ ବଡ଼ ଦେଖାଯାଏ । ପୂର୍ଣ୍ଣିମା ଆଜି ସକାଳ ସମୟ ୧୦ଟାରେ ଅଛି, କିନ୍ତୁ ଏହାର ପ୍ରକୃତ ସୌନ୍ଦର୍ଯ୍ୟ ସୂର୍ଯ୍ୟାସ୍ତ ପରେ ଆକାଶରେ ଦେଖିବାକୁ ମିଳିବ । ସୁପରମୁନ ସମୟରେ ଚନ୍ଦ୍ରମା ସବୁଠାରୁ ଅଧିକ ଉଜ୍ୱଳ ଦିଶିବ । ତେବେ ସୁପରମୁନ ଦେଖିବା ପାଇଁ ବାଇନାକୁଲାର କିମ୍ବା ଟେଲିସ୍କୋପର ଦରକାର ନାହିଁ । ଖାଲି ଆଖିରେ ଏହା ଦୃଶ୍ୟମାନ ହେବ । ଏବର୍ଷ ଶେଷ ଆଡ଼କୁ ଆଉ ଦୁଇ ଥର ସୁପରମୁନ ଦେଖାଯିବ । ଆସନ୍ତା ନଭେମ୍ବର ୨୪ ଓ ଡିସେମ୍ବର ୨୪ରେ ସୁପରମୁନ ହେବ ।