ଜଗତସିଂହପୁର: ଆଜି ଗ୍ରହରାଜ ଶନିଦେବଙ୍କର ଜନ୍ମୋତ୍ସବ। ଏହି ଦିନ ଭକ୍ତିର ସହିତ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନା କଲେ ସକଳ ଗ୍ରହପୀଡା ଖଣ୍ଡନ ହେବା ସହ ପରିବାରର ସକଳ ଦୁଃଖ ଦୁର୍ଦ୍ଦଶା ଦୂର ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଆସିଛି। ସନାତନ ଧର୍ମରେ ସପ୍ତାହର ୭ ଦିନ ଦେବାଦେବୀଙ୍କୁ ସମର୍ପିତ। ସେହିପରି ଶନିବାର ଦିନ କର୍ମଫଳଦାତା ଶନିଦେବଙ୍କୁ ସମର୍ପିତ ହୋଇଥାଏ। ପ୍ରତିବର୍ଷ ସାରା ଦେଶରେ ଅକ୍ଷୟ ତୃତୀୟାର ପର ଶନିବାର ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ ଭାବେ ପାଳିତ ହୋଇଥାଏ।
ତେବେ ଆଜି ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ଶନି ମନ୍ଦିର ମାନଙ୍କରେ ଶନିଦେବଙ୍କ ଜଳାଭିସେଖ ପୂଜା ଅନୁଷ୍ଠିତ ହେଉଛି। ଯାହାପାଇଁ ଆଜି ସକାଳୁ ଗ୍ରହରାଜଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶନି ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ଶନିଶ୍ଚରଙ୍କ ଠାରେ ଜଳଲାଗି କରି ନିଜ ପରିବାରର ମଙ୍ଗଳ ପାଇଁ ଗ୍ରହରାଜଙ୍କୁ ସନ୍ତୁଷ୍ଟ କରୁଥିବା ଦେଖିବାକୁ ମିଳିଛି ।