ଆଜିକାଲିର ସମୟରେ ସୋସିଆଲ ମିଡିଆରେ କିଛି ଲାଇକ୍ସ ଏବଂ ଭାଇରାଲ ହେବା ପାଇଁ ଯୁବ ପିଢ଼ିମାନେ ସମସ୍ତ ସୀମା ଡେଇଁ ଚାଲିଛନ୍ତି । ଏମିତି କି ସେମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗେଇ ଦେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଡଅଁରମୁଣ୍ଡା ଗ୍ରାମରେ । ସେଠାରେ ପ୍ରତିଦିନ ଅନେକ ଯୁବକମାନେ କୁମ୍ଭୀର ସହ ସେଲ୍ଫି ନେବା ପାଇଁ ଯାଉଛନ୍ତି । ସେଠାରେ ଥିବା ଗୋବରୀ ନଦୀପଠାରେ ଏବେ ପ୍ରାୟ ୫ଟି କୁମ୍ଭୀର ରହିଛନ୍ତି । ଏହା ସେଠାରେ ରହୁଥିବା ବାସିନ୍ଦାଙ୍କ ମନରେ ଆତଙ୍କ ଖେଳିଛି । ଏହାସହ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।
ସୂଚନା ଅନୁଯାୟୀ, ଗତ ଜୁନ୍ ଓ ଜୁଲାଇରେ ମାତ୍ର ୪୫ ଦିନ ମଧ୍ୟରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଗୃହପାଳିତ ପଶୁପକ୍ଷୀ ବି କୁମ୍ଭୀର ମୁହଁରୁ ବାଦ୍ ପଡିନାହାନ୍ତି । ତେବେ ଗ୍ରାମବାସୀଙ୍କ ଜୀବନ ସୁରକ୍ଷା, ପାନୀୟ ଜଳ ଓ କ୍ଷେତକୁ ପାଣି ମଡ଼ାଇବା, ଗୃହପାଳିତ ପଶୁପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ନଦୀକୁ କୁମ୍ଭୀର ମୁକ୍ତ କରିବାକୁ ଗ୍ରାମବାସୀ ଦାବି କରିଥିଲେ । ହେଲେ ସେଠାରେ ଥିବା ଯୁବକ ଏହି ପ୍ରସଙ୍ଗକୁ ନେଇ ମଜା ଉଡାଉଥିବା ବେଳେ କୁମ୍ଭୀର ସହ ସେଲ୍ଫି ନେବାର ଦେଖା ଯାଇଛି ।