ଓଲଟିଲା ଗୋରୁ ବୋଝେଇ ଟ୍ରକ,ଚାଲିଗଲା ୪ ଜଣଙ୍କ ଜୀବନ । ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋରୁ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ୩୦ରୁ ୪୦ ଗୋରୁଙ୍କ ମୃତ୍ୟୁ ଘଟିଛି।
ଗତକାଲି ବିଳମ୍ବିତ ରାତିରେ ଗୋରୁ ବୋଝେଇ କଣ୍ଟେନରଟି ଶହେରୁ ଅଧିକ ଗୋରୁ ନେଇ ବରଗଡ଼ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। କଟାପାଲି ନିକଟ ଛକରେ ଏକ ଗୋରୁ ବୋଝେଇ କଣ୍ଟେନର ଅଟକି ରହିଥିଲା। ଏହି କଣ୍ଟେନର ଗାଡ଼ି ସମ୍ମୁଖରେ କିଛି ବ୍ୟକ୍ତି ରାତ୍ରି ଭୋଜନ ନିମନ୍ତେ ରୋଷେଇ କରୁଥିଲେ। ଏହି ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍କୁ ଅନ୍ୟ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇ ତୀବ୍ର ଗତିରେ ଚାଲି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରକ୍ଚାଳକ ଗୋରୁ ବୋଝେଇ ଗାଡ଼ିକୁ ଧକ୍କା ଦେଇଥିଲେ। ଗୋରୁ ବୋଝେଇ କଣ୍ଟେନରଟି ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଏହା ସହ ୩୦ରୁ ୪୦ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୋରୁ ଆହତ ହୋଇଥିଲେ। ଆହତ ଗୋରୁଙ୍କ ଚିକିତ୍ସା କରଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଅଧିକ ପଢନ୍ତୁ :କଳିଙ୍ଗା ଘାଟୀରେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରକ୍ : ଡ୍ରାଇଭର ଗୁରୁତର