ବ୍ରହ୍ମପୁର : ବାଇକ ଚୋରର ନିଆରା କାହାଣୀ। ବାଇକ ଚୋରି କରି ଦ୍ୱିତୀୟ ଦିନରେ ବାଇକ ଫେରାଇ ଦେଲା ଚୋର। ଏପରିକି ବାଇକ ଉପରେ ଏକ ଚିଠିରେ କ୍ଷମା ମଧ୍ୟ ମାଗିଲା ଏବଂ ଲେଖିଲା ମନର କଥା। ଚିଠିରେ ଲେଖାଥିଲା ବାଇକ ଚୋରି ପଛର କାହାଣୀ। ଏକଦମ ସିନେମା ଷ୍ଟାଇଲର ଷ୍ଟୋରୀ।
ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ବାଇକ ତାଙ୍କ ଘର ସମ୍ମୁଖରୁ ଚୋରି ହୋଇଥିଲା। ଚୋରି ସମୟର ଭିଡ଼ିଓ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଥିଲା। ଗାଡ଼ି ମାଲିକ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ହଠାତ ସ୍ବପ୍ନ ଦେଖିବା ଭଳି ହଜିବା ବାଇକ୍ ଯୁବକଙ୍କୁ ମିଳି ଯାଇଥିଲା। ହେଲେ ବାଇକ ଯେଉଁଠୁ ଚୋରି ହୋଇଥିଲା ଠିକ ଗତକାଲି ସକାଳେ ବାଇକ ସେଇଠି ରଖାଯାଇଥିଲା।
ଗାଡ଼ିରେ ଲାଗିଥିଲା ଏକ ଚିଠି ଏବଂ ଲେଖାଯାଇଥିଲା ଭାଇ ‘ଆଇ ଆମ ସରି’। ମୋ ଗାର୍ଲ ଫ୍ରେଣ୍ଡର ଆକ୍ସିଡେଣ୍ଟ ହୋଇଥିଲା। ମୋ ପାଖରେ ପଇସା ନଥିଲା ଆଉ ଜଲଦି ଯିବାର ବି ଥିଲା। ତେଣୁ ଆପଣଙ୍କ ବାଇକଟା ନେଇ ଯାଇଥିଲି। ମୋର ସେମିତି କରିବା ଠିକ ନଥିଲା ମତେ କ୍ଷମା କରିଦେବେ । ଯାହାକୁ ବାଇକ ମାଲିକ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇପଡିଥିଲେ।