ଭୁବନେଶ୍ୱର: ନିଜର ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବା ଓଡିଶା ନର୍ସିଂ କର୍ମଚାରୀ ସଂଘକୁ ମନାଇବା ପାଇଁ ସରକାରୀସ୍ତରରେ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ଗୁରୁବାର ନର୍ସିଂ କର୍ମଚାରୀଙ୍କ ଦାବି ପୂରଣ ଓ ସମସ୍ୟା ସମାଧାନ ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ସ୍ୱାସ୍ଥ୍ୟ ସଚିବଙ୍କ ସହ ନର୍ସିଂ କର୍ମଚାରୀ ସଂଘଙ୍କ ଆଲୋଚନା ବିଫଳ ରହିଥିଲା ।
ସଂଘ ଦାବି କରିଥିଲା ଯେ, ଅଧିକାରୀ ନୁହନ୍ତି ମୁଖ୍ୟମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟ ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରନ୍ତୁ । ଫଳରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ରହିଥିଲା । ଏହା ପରେ ନର୍ସିଂ କର୍ମଚାରୀ ନିଜର ଆନ୍ଦୋଳନ ଜାରି ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡିଶା ନର୍ସିଂ କର୍ମଚାରୀ ସଂଘର ଦାବି ଉପରେ ସରକାର ଆଲୋଚନା କରିଥିବା ଜଣାଇଛି । ସଂଘ ଉଠାଇଥିବା ବିଭିନ୍ନ ଦାବି ଉପରେ ବିଚାର ବିମର୍ଶ କରିବା ପାଇଁ ସରକାର ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ନର୍ସିଂ ଅଫିସରମାନଙ୍କୁ ଆନ୍ଦୋଳନରୁ ଓହରି ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ବିଭିନ୍ନ ଦାବି ନେଇ ବୁଧବାରଠୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡିଶା ନର୍ସିଂ କର୍ମଚାରୀ ସଂଘ । ଏହା ପୂର୍ବରୁ ଅଗଷ୍ଟ ମାସରେ ସଂଘ ପକ୍ଷରୁ କଳା ବ୍ୟାଜ୍ ପରିଧାନ ଓ ପରବର୍ତ୍ତୀ ସମୟରେ ଆନ୍ଦୋଳନ ଡାକରା ଦିଆଯାଇଥିଲା । ହଜାର ହଜାର ନର୍ସିଂ କର୍ମଚାରୀ ରାଜଧାନୀରେ ଆନ୍ଦୋଳନ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ସହ ଆଲୋଚନା ହେବା ପରେ କର୍ମଚାରୀମାରେ ଆନ୍ଦୋଳନରୁ ଓହରିଥିଲେ ।