ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲାର ସବୁଠି ଜଳାର୍ଣ୍ଣବ ସହିତ ଜନଜୀବନ ବେହାଲ ହୋଇପଡିଛି। ତୁହାକୁ ତୁହା ବର୍ଷା ଲାଗିରହିବାରୁ ସହର, ଗ୍ରାମ, ବଜାର, ହାଟ, ସ୍କୁଲ, କଲେଜ ଜଳାର୍ଣ୍ଣବ ହୋଇଛି। ଘନ ଘନ ଲଘୁଚାପ ଯୋଗୁ ବିଲ, ବାଡ଼ି, କ୍ଷେତ ସବୁଠି ଜଳ ପରିପୂର୍ଣ୍ଣ ହୋଇ ଧାନ, ପନିପରିବା ଚାଷର ବ୍ୟାପକ କ୍ଷତି ହୋଇ ଜଳର ଲହଡି ଭାଙ୍ଗୁଛି l
ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା ଆସି ଲୋକଙ୍କ ମଧ୍ୟରୁ ଦୁଃଖ ଦୁର୍ଦ୍ଦଶା ଲିଭି ନ ଥିବା ବେଳେ ପୁଣି ଏକ ଲଘୁଚାପ ଦ୍ୱିତୀୟ ବନ୍ୟା ଆଶଙ୍କା ସୃଷ୍ଟି କରିଛି l ଝାଡ଼ଖଣ୍ଡ ମାଳ ଅଞ୍ଚଳରେ ଏହି ଲଘୁଚାପ ସକ୍ରିୟ ହୋଇ ବର୍ଷା ହେଉଥିବା ବେଳେ ଗାଲୁଡ଼ିହି ବ୍ୟାରେଜରୁ ୨୨୦୦ କ୍ୟୁସେକରୁ ଅଧିକ ବର୍ଷାଜଳ ସୁବର୍ଣ୍ଣରେଖାକୁ ଛଡ଼ାଯିବାର ସିଡବ୍ଲ୍ୟୁସି ସୂଚନା ଦେଇଛନ୍ତି l କେବଳ ଗାଲୁଡ଼ିହି ନୁହେଁ ଝାଡ଼ଖଣ୍ଡର ଅନ୍ୟ ଖଡ଼ଖାଇ ବ୍ୟାରେଜ ସହ ଚାନ୍ଦିଲି ଡ୍ୟାମରେ ଉଦବୃତ୍ତ ପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ ହେଲେ ପୁଣି ଅନ୍ୟ ଏକ ବଡ ବନ୍ୟା ଆଶଙ୍କା ଏଡାଇ ଦିଆଯାଇ ନ ପାରେ ବୋଲି ବିଭାଗ ସୂଚନା ଦେଇଛି। ସୁବର୍ଣ୍ଣରେଖା ରାଜଘାଟ ଗେଜଠାରେ ସତର୍କ ସୂଚନା ୯. ୪୫ମିଟର ଥିବା ବେଳେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୭.୯୩ ମିଟରରେ ପ୍ରବାହିତ ହେଉଛି।