ନୂଆଦିଲ୍ଲୀ: ସଂସଦର ସ୍ଥାୟୀ କମିଟି ଘୋଷଣା କରାଯାଇଛି । ଏଥିରେ ବିଭିନ୍ନ ଦଳର ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ କମିଟିର ଦାୟିତ୍ୱ ଦିଆଯାଇଛି । ବିଜେପି ତଥା ଓଡିଶାର ବରିଷ୍ଠ ନେତା ଭର୍ତ୍ତୃହରି ମହତାବଙ୍କୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ସମ୍ବନ୍ଧିତ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବୈଦେଶିକ କମିଟିର ଅଧ୍ୟକ୍ଷ ପଦରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ନିଯୁକ୍ତ କରାଯାଇଛି । ଗୃହ ସଂପର୍କିତ କମିଟିରର ଅଧ୍ୟକ୍ଷ ବିଜେପି ନେତା ରାଧା ମୋହନଙ୍କୁ କରାଯାଇଛି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରତିରକ୍ଷା କମିଟିର ସଦସ୍ୟ କରାଯାଇଛି । ଏହା ବ୍ୟତୀତ କଙ୍ଗନା ରଣାୱତଙ୍କୁ ସଞ୍ଚାର ଏବଂ ସୂଚନା ପ୍ରଦୌଗିକି କମିଟିର ସଦସ୍ୟ କରାଯାଇଛି । ସଂସଦର ୨୪ ସ୍ଥାୟୀ କମିଟି ଗଠନ କରାଯାଇଛି ।
ସବୁ ଦଳର ପ୍ରତିନିଧିତ୍ୱ କରୁଥିବା ଏହି ସବୁ ସ୍ଥାୟୀ କମିଟି ସଂସଦର କାର୍ଯ୍ୟକ୍ରମ ସହିତ ବିଭିନ୍ନ ମନ୍ତ୍ରଣାଳୟର କାମ ଉପରେ ନଜର ରଖିଥାନ୍ତି । ରାଜ୍ୟସଭା ସଚିବାଳୟ ଏକ ବିଜ୍ଞପ୍ତି ଜରିଆରେ ସ୍ଥାୟୀ କମିଟି ଗଠନ ବିଷୟରେ ସୂଚନା ଦେଇଛି । ପ୍ରତିରକ୍ଷା ସଂସଦୀୟ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଧାମୋହନ ସିଂଙ୍କୁ ନିଯୁକ୍ତ କରାଯାଇଛି ।
କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କ ନାମ କୌଣସି ବି କମିଟିରେ ନାହିଁ । ଟିଡିପି ଓ ଜେଡିୟୁ ପରି ବିଜେପିର ପ୍ରମୁଖ ସହଯୋଗୀ ବ୍ୟତୀତ ସହଯୋଗୀ ଶିବସେନା, ଏନସିପି ଗୋଟିଏ ଲେଖାଏଁ କମିଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ମୋଟ୍ ୨୪ ସ୍ଥାୟୀ କମିଟିରୁ ୧୧ର ଅଧ୍ୟକ୍ଷ ପଦ ବିଜେପି ସଦସ୍ୟଙ୍କୁ ମିଳିଥିବା ବେଳେ ୪ କମିଟିର ଅଧ୍ୟକ୍ଷତା ଏନଡିଏ ସହଯୋଗୀ ଦଳ କରିବେ । କଂଗ୍ରେସର ନେତା ଚାରି କମିଟିର ନେତୃତ୍ୱ ନେବେ । ଏହା ପରେ ଦୁଇ ଦୁଇ କମିଟିର ଅଧ୍ୟକ୍ଷ ଭାବେ ଡିଏମକେ, ସମାଜବାଦୀ ପାର୍ଟି ଓ ଟିଏମସିର ସାଂସଦଙ୍କୁ ନିଯୁକ୍ତ କରାଯାଇଛି ।