ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ନେଉନାହିଁ । ଦୁର୍ଗା ପୂଜା ପୂର୍ବରୁ ବାଂଲାଦେଶରେ ଇସଲାମିକ ସମୂହ ଜରିଆରେ କିଛି ମନ୍ଦିରକୁ ଧମକା ଦିଆଯାଇଛି । ଯଦି ଦୁର୍ଗା ପୂଜା ପାଳନ କରିବାର ଅଛି ତେବେ ୫ ଲକ୍ଷ ବାଂଲାଦେଶ ଟାକା ଦେବାକୁ ପଡିବ । ଯଦି ଟଙ୍କା ଦେବେନି ତେବେ ଦୁର୍ଗା ପୂଜା କରିବାକୁ ଦିଆଯିବନି ବୋଲି ମନ୍ଦିରଗୁଡିକୁ ଧମକ ଦିଆଯାଇଛି ।
ଏହା ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରେ ମଦରସାର କିଛି ଲୋକ ଲକ୍ଷ୍ମୀଗଞ୍ଜ ଜିଲ୍ଲାର ରାୟପୁର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ଭାଙ୍ଗିଥିଲେ । ବରଗୁନା ଜିଲ୍ଲାରେ ମଧ୍ୟ ସେହି ସମାନ ଘଟଣା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ହିନ୍ଦୁ ସମୁଦାୟର କିଛି ଲୋକ ଚଟ୍ଟଗାଓଁ ଓ ଖୁଲନା ଜିଲ୍ଲାର ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ହିନ୍ଦୁ ବୌଦ୍ଧ ଇସାଇ ଏକତା ପରିଷଦର ସାଧାରଣ ସଂପାଦକ ମହେନ୍ଦ୍ର ନାଥ କହିଛନ୍ତି, ଖୁଲନା ସହରର ଡାକୋପ ଟାଉନରେ ୨୫ରୁ ଅଧିକ ମନ୍ଦିରରେ ପାଞ୍ଚ ଦିନିଆ ଦୁର୍ଗା ପୂଜା ଉତ୍ସବ ପାଳନ ପାଇଁ ୫ ଲକ୍ଷ ଟଙ୍କା ଦାବି କରାଯାଇଛି । ଯଦି ନ ଦିଆଯାଏ ତେବେ ଦୁର୍ଗା ପୂଜା କରାଇ ଦେବେ ନାହିଁ ବୋଲି ମୁସଲିମ ସମୁଦାୟର କିଛି ଗୋଷ୍ଠୀ ଧମକ ଦେଇଛନ୍ତି ।
ଉଲ୍ଲେଖନୀୟ କିଛି ଦିନ ପୂର୍ବେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ଅନ୍ତରୀଣ ସରକାର ଫରମାନ ଜାରି କରି କହିଥିଲେ ଯେ, ଦୁର୍ଗା ପୂଜା ସମୟରେ ଅଜାନ ପୂର୍ବରୁ ଏବଂ ନମାଜ ବେଳେ କୌଣସି ବି ସଙ୍ଗୀତ ଯେମିତି ନ ବାଜେ ।