ପାଟନା: ଯେଉଁ ପରିବାର ସୁଖ ମନାସୀ ପାଳନ ହେଉଥିଲା ଜିତିଆ ପର୍ବ ଆଜି ସେହି ପରିବାର ଉଜୁଡ଼ି ଯାଇଛି । ଲୁହରେ ଭଜିଛି ଜିତିଆ ପର୍ବ । ବିଭିନ୍ନ ନଦୀ ପୋଖରୀରେ ବୁଡ଼ ପକାଉଥିବାବେଳେ ୪୩ ଜଣ ସଲିଳ ସମାଧୀ ନେଇଛନ୍ତି । ଏଭଳି ଘଟଣା ଘଟିଛି ବିହାରରେ । ଆଉ ଏଥିରେ ରହିଛନ୍ତି ୩୭ ଜଣ ଶିଶୁ । ଆଉ ଏବେବି ୩ ଜଣ ନିଖୋଜ ଅଛନ୍ତି । ଏ ନେଇ ଗୁରୁବାର ବିହାର ସରକାରଙ୍କ ତରଫରୁ ସରକାରୀଭାବେ ଘୋଷଣା କରାଯାଇଛି ।
ବୁଧବାର ବିହାରରେ ଜିତିଆ ପର୍ବ ପାଳନ ହେଉଥିବା ବେଳେ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ୪୩ ଜଣ ନଦୀ ଏବଂ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ସମସ୍ତଙ୍କ ମୃତ ଦେହ ପାଣିରୁ ଉଦ୍ଧାର କରାଯାଇଥିବା ବିହାର ସରକାର କହିଛନ୍ତି । ପୂର୍ବ ଏବଂ ପଶ୍ଚିମ ଚମ୍ପାରଣ, ମୁଜାଫରନଗର, ପାଟନା, ବକ୍ସର, ଔରଙ୍ଗାବାଦ, ଛପରା, ରୋହତାସ, କୈମୁର, ସିୱାନ, ମୋତିହାରୀ, ବେତିଆର, ବେଗୁସରାୟ, ଗୋପାଳଗଞ୍ଜ, ଭୋଜପୁର, ନାଳନ୍ଦା, ଦରଭଙ୍ଗା, ମଧୁବନୀ, ସମସ୍ତିପୁର ଏବଂ ଅରୱାଲରେ ଏହି ଅଘଟଣ ଘଟିଛି ।
ତେବେ ଔରଙ୍ଗାବାଦ ଜିଲ୍ଲାରେ ସର୍ବାଧିକ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛପରାରେ ୫ ଜଣ, ରୋହତାସରେ ୪, କୈମୁରରେ, ସିୱାନରେ, ମୋତିହାରୀରେ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିପରି ବେତିଆରେ, ବେଗୁସରାୟରେ ୨ ଜଣ ଲେଖାଏଁ, ଗୋପାଳଗଞ୍ଜ, ଭୋଜପୁର, ନାଳନ୍ଦା, ଦରଭଙ୍ଗା, ମଧୁବନୀ, ସମସ୍ତିପୁର ଏବଂ ଅରୱାଲରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି ।
ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପକ୍ଷରୁ ଉଦ୍ଧାର କାର୍ୟ୍ୟ ଏବେବି ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।