ଭୁବନେଶ୍ୱର: ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟାକାଣ୍ଡରେ ବଡ ଖୁଲାସା ହୋଇଛି । ମହାଲକ୍ଷ୍ମୀଙ୍କ ହତ୍ୟା ତାଙ୍କ ସହ କାମ କରୁଥିବା ମୁକ୍ତିରଞ୍ଜନ ରାୟ କରିଥିଲା । ମୁକ୍ତିରଞ୍ଜନଙ୍କୁ ବେଙ୍ଗାଲୁରୁ ପୋଲିସ ଖୋଜୁଥିବା ବେଳେ ଗତକାଲି ଭଦ୍ରକର କୁଳେଇପଦା ଗାଁ ଶ୍ମଶାନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ମୁକ୍ତିରଞ୍ଜନ । ପୋଲିସ ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ପାଇଛି, ଯେଉଁଥିରେ ହତ୍ୟାକାଣ୍ଡ ବିଷୟରେ ଉଲ୍ଲେଖ ରହିଛି । ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜ ମାଆଙ୍କ ସାମ୍ନାରେ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା । ସେ ନିଜର ସୁଇସାଇଡ ନୋଟରେ ଲେଖିଛି ଯେ, ମୁଁ ମହାଲକ୍ଷ୍ମୀକୁ ଭଲ ପାଉଥିଲି । ମାତ୍ର ସେ ମୋତେ କିଡନ୍ୟାପିଙ୍ଗ କେସରେ ଫସାଇବାକୁ ବାରମ୍ବାର ଧମକ ଦେଉଥିଲା ।
ପୋଲିସ ଅନୁଯାୟୀ, ଆତ୍ମହତ୍ୟା ପୂର୍ବ ରାତିରେ ମୁକ୍ତିରଞ୍ଜନ ନିଜ ମାଆକୁ ମହାଲକ୍ଷ୍ମୀକୁ ହତ୍ୟା କରିଥିବା କଥା କହିଥିଲା । ପ୍ରାୟ ତିନି ବର୍ଷ ପରେ ଯାଇ ମୁକ୍ତି ନିଜ ଘରକୁ ଆସିଥିଲା । ମୁକ୍ତିରଞ୍ଜନ ରାତିରେ ମାଆ ସାମ୍ନାରେ କାନ୍ଦି କାନ୍ଦି ମୁଁ ମହାଲକ୍ଷ୍ମୀକୁ ହତ୍ୟା କରିଥିବା କହିଥିଲା । ଏହା ପରେ ଭଦ୍ରକ ଯିବା କହି ସ୍କୁଟିରେ ବାହାରି କୁଳେଇପଦା ଗାଁ ଶ୍ମଶାନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ।
ପୋଲିସକୁ ମିଳିଥିବା ସୁଇସାଇଡ ନୋଟରେ ମୁକ୍ତି ଅଧିକାଂଶ ଇଂରାଜୀ ଭାଷାରେ ଲେଖିଥିବା ବେଳେ କିଛି କିଛି ଶବ୍ଦ ଓଡିଆରେ ଲେଖିଥିଲା । ମୁକ୍ତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରି ଲେଖିଛି ଯେ, ମୁଁ ତାଙ୍କୁ ପସନ୍ଦ କରୁଥିଲି, ତାଙ୍କୁ ଭଲ ପାଉଥିଲି । ମାତ୍ର ତାର ବ୍ୟବହାର ମୋ ପାଇଁ ଠିକ୍ ନ ଥିଲା । ସେ ମୋତେ ଅପହରଣ କେସରେ ଫସାଇବାକୁ ଧମକ ଦେଉଥିଲା । ମୁଁ ତା ପଛରେ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଛି ।
ବେଙ୍ଗାଲୁରୁ ପୋଲିସ ମୁତାବକ, ମୁକ୍ତିରଞ୍ଜନ ଓ ମହାଲକ୍ଷ୍ମୀ ଏକ କପଡା ଦୋକାନରେ କାମ କରୁଥିଲେ । ଏଠାରେ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା ଓ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ମହାଲକ୍ଷ୍ମୀ ମୁକ୍ତିରଞ୍ଜନ ଉପରେ ବିବାହ କରିବାକୁ ଚାପ ପକାଉଥିଲା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଲଗାତାର ଝଗଡା ହେଉଥିଲା । ଏହାକୁ ନେଇ କ୍ଷୁବ୍ଧ ମୁକ୍ତିରଞ୍ଜନ ମହାଲକ୍ଷ୍ମୀଙ୍କ ହତ୍ୟା କରି ଶବକୁ ଖଣ୍ଡ ଖଣ୍ଡ କରିଥିବା ବେଙ୍ଗାଲୁରୁ ପୋଲିସ କହିଛି ।
ସୂଚନାଯୋଗ୍ୟ, ମହାଲକ୍ଷ୍ମୀଙ୍କ ହତ୍ୟା ପ୍ରାୟ ୨୦-୨୨ ଦିନ ପୂର୍ବେ ଅର୍ଥାତ ସେପ୍ଟେମ୍ବର ୨ରୁ ୩ ତାରିଖ ମଧ୍ୟରେ ହୋଇଥିଲା । ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା ମୁକ୍ତିରଞ୍ଜନ । ଏହା ପରେ ସେ ବେଙ୍ଗାଲୁରୁ ଛାଡି ଓଡିଶା ପଳାଇ ଆସିଥିଲା । ମାମଲାରେ ପ୍ରଥମେ ପୋଲିସ ମହାଲକ୍ଷ୍ମୀଙ୍କ ଆଉ ଏକ ବୟଫ୍ରେଣ୍ଡ କୁହାଯାଉଥିବା ଅଶରଫକୁ ଅଟକ ରଖି ପଚରା ଉଚୁରା କରିଥିଲା ।