କ୍ୟୁଆର କୋଡ୍ରେ ସ୍କାନ୍ କରି ଏଟିଏମ୍ରୁ ଟଙ୍କା ଉଠାଇପାରିବେ ଗ୍ରାହକ । ଟେକନୋଲୋଜିର ପରିବର୍ତ୍ତନରେ ଆଗକୁ ବିନା ଡେବିଟ୍ କାର୍ଡରେ ଏଟିଏମ୍ରୁ ଉଠିବ ଟଙ୍କା । ଫୋନ ମାଧ୍ୟମରେ ସ୍କାନ୍ କରି ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କାର୍ଡକୁ ବ୍ୟବହାର ନ କରି ଗ୍ରାହକ ମାନେ କିପରି ଟଙ୍କା ଉଠାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି ।
ଗ୍ରାହକମାନେ ସ୍ମାର୍ଟଫୋନ ଦ୍ୱାରା ୟୁପିଆଇକୁ ଉପଯୋଗ କରି ଅର୍ଥ ଉଠାଇ ପାରିବେ । ଏଟିଏମରେ ଟଙ୍କା ଉଠାଇବାକୁ ଗଲେ ଗ୍ରାହକମାନଙ୍କୁ ଦୁଇଟି ବିକଳ୍ପ ମିଳିବ । ପ୍ରଥମଟି ହେଉଛି ୟୁପିଆଇ ଓ ଦ୍ୱିତୀୟଟି ନଗଦ ଅର୍ଥ। ଏଟିଏମରେ ୟୁପିଆଇରେ କ୍ଲିକ୍ କଲେ ସେଥିରେ ତାଙ୍କର ପରିମାଣ ପଚାରିବ । ଏହାପରେ ନିର୍ଦ୍ଧିଷ୍ଟ ଅର୍ଥ ପରିମାଣ ଏଣ୍ଟର କରିବା ପରେ ସ୍କ୍ରିନରେ କ୍ୟୁଆର କୋଡ୍ ଆସିବ। ଏହି କ୍ୟୁଆର କୋଡ୍କୁ ଫୋନରେ ଥିବା ଭୀମ୍, ପେଟିଏମ୍, ଗୁଗୁଲ୍ ପେ’ ଅଥବା ଫୋନ ପେ’ ଯେକୌଣସି ଆପ୍ରେ ସ୍କାନ କରି ବ୍ୟାଙ୍କକୁ ଚିହ୍ନଟ କରି ପିନ୍ ଦେବାପରେ ଏଟିଏମ୍ରୁ ଟଙ୍କା ବାହାରିବ । ଏଟିଏମ୍ କାର୍ଡରେ ଟଙ୍କା ଉଠାଇବାବେଳେ ଅନେକ ସମୟରେ ଗ୍ରାହକମାନେ ଠକାମିର ଶିକାର ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ଏଭଳି ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଇଛି।