ଭୁବନେଶ୍ୱର: ଓଡିଶା ସରକାର ସରୋଗେସି ବାପା-ମାଆ ହେବାକୁ ଚାହୁଁଥିବା ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସରକାରୀ କର୍ମଚାରୀ ଏହି ସୁବିଧାର ଲାଭ ଉଠାଇ ପାରିବେ । ଏଥିପାଇଁ ସେମାନଙ୍କୁ ୧୮୦ ଦିନର ଛୁଟି ମିଳିବ । କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଆଧାର କରି ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀ, ଯାହାଙ୍କ ଦୁଇରୁ କମ ପିଲା ଅଛନ୍ତି ଏବଂ ସରୋଗେସି ମାଆ ହେବାକୁ ଚାହାନ୍ତି ତେବେ ତାଙ୍କୁ ୧୮୦ ଦିନର ମାତୃତ୍ୱ ଅବକାଶ ମିଳିବ । ସରୋଗେଟ୍ ମଦରର ଅର୍ଥ ଜଣେ ମହିଳା ଯିଏ ନିଜ ଗର୍ଭରେ ଭୃଣ ପ୍ରତ୍ୟାରୋପଣ କରି ସରୋଗେସି ମାଧ୍ୟମରେ ପିଲା ଜନ୍ମ ଦେବାକୁ ସହମତି ଥାଆନ୍ତି । ସରୋଗେସି ଅଧିନିୟମ ୨୦୨୧ର ଧାରା ୪ ଖଣ୍ଡର ଉପଖଣ୍ଡ ବିରେ ଏହି ସଂପର୍କିତ ବ୍ୟବସ୍ଥା କରାଯାଇଛି ।
ସେହିପରି ଯେଉଁ ପୁରୁଷ କର୍ମଚାରୀ, ଯାହାଙ୍କ ଦୁଇରୁ କମ ପିଲା ଅଛନ୍ତି ଏବଂ ସରୋଗେସି ବାପା ହେବାକୁ ଚାହାନ୍ତି ତେବେ ପିଲା ଜନ୍ମ ତାରିଖରୁ ୬ ମାସ ଭିତରେ ୧୫ ଦିନର ପିତୃତ୍ୱ ଅବକାଶ ମିଳିବ । ଗୁରୁବାର ଅର୍ଥ ବିଭାଗ ଦ୍ୱାରା ବିବୃତି ଜାରି କରାଯାଇଛି । ଯଦି ଉଭୟ ବାପା ଏବଂ ମାଆ ସରକାରୀ କର୍ମଚାରୀ ତେବେ ସରୋଗେସି ପାଇଁ ଉଭୟଙ୍କୁ ୧୮୦ ଦିନର ମାତୃତ୍ୱ ଓ ପିତୃତ୍ୱ ଅବକାଶ ମିଳିବ । ସେଥିପାଇଁ ପଞ୍ଜୀକୃତ ଡାକ୍ତର/ହସ୍ପିଟାଲରରୁ କାଗଜପତ୍ର ଦେବାକୁ ପଡିବ ।