ଭୁବନେଶ୍ୱର : ପୁରୀ ସ୍ୱର୍ଗଦ୍ୱାରରେ ହେବ କିଟ୍ ଛାତ୍ରୀଙ୍କ ଶେଷକୃତ୍ୟ । ପୋଷ୍ଟମର୍ଟମ୍ ପରେ ମୃତଦେହ ନେପାଳ ନେବାକୁ ମନାକଲେ ପରିବାର ଲୋକେ । ପରିବାର ଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ୍ କରାଯାଇ ହସ୍ତାନ୍ତର କରାଯାଇଛି । ଗତକାଲି ତାଙ୍କର ପରିବାର ଲୋକେ ଭୁବନେଶ୍ବରରେ ପହଞ୍ଚିବା ପରେ ଏମ୍ସ ଯାଇ ଝିଅର ମୃତଦେହକୁ ଚିହ୍ନଟ କରିଥିଲେ । କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ ଛାନଭିନ୍ ଚଳାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତରେ ଆହୁରି ସହାୟକ ହୋଇପାରିବ ।
ପରିବାର ଲୋକଙ୍କ କହିବା ଅନୁଯାୟୀ ଘଟଣା ଦିନ ୪ ଘଣ୍ଟା ପୂର୍ବରୁ ପରିବାର ଲୋକଙ୍କ ସହ ବି ହସଖୁସିରେ କଥା ହୋଇଥିଲା। ମାତ୍ର ପରେ ସେମାନଙ୍କୁ ମିଳିଲା ଝିଅର ମୃତ୍ୟୁର ଖବର। ତେବେ କ’ଣ ପାଇଁ ଝିଅ ଏପରି ଚରମ ପଦକ୍ଷେପ ନେଲା ନା ଏହା ପଛରେ ଆଉ କାହା ହାତ ରହିଛି ତାହା ଉତ୍ତର ବାପାମା’ ଖୋଜୁଛନ୍ତି ।
ଅନ୍ୟପଟେ ଏହି ମାମଲାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ୍ କଲେ ଜାତୀୟ ମାନବାଧିକାର କମିଶନ । ତୁରନ୍ତ ଏତଲା ଦାଏର କରି ଘଟଣାର ତଦନ୍ତ କରିବାକୁ ନୋଟିସ୍ରେ NHRC ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ରିପୋର୍ଟରେ ଏତଲା ଓ ପୋଷ୍ଟମର୍ଟମ୍ କପି ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
NHRC ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ, ଛାତ୍ରୀ ମୃତ୍ୟୁ ଘଟଣାରେ ପୀଡ଼ିତାଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ ହୋଇଛି । ୩ ମାସ ଭିତରେ କିଟ୍ ରେ ୨ ଜଣ ଛାତ୍ରୀ ମୃତ୍ୟୁ ଘଟଣାକୁ ଘୋର ଉଦ୍ବେଗଜନକ ବୋଲି ଦର୍ଶାଇଛନ୍ତି କମିଶନ୍ । ଏହା ପୂର୍ବରୁ ମଧ୍ୟ ପ୍ରଥମ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ସହ ଛାତ୍ରୀ ମୃତ୍ୟୁ ପାଇଁ କିଟ୍ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି ।