ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ଯାଏଁ ମତଦାନ ହେବ। ଏହି ପର୍ଯ୍ୟାୟରେ ୪୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ପ୍ରକ୍ରିୟାରେ ମୋଟ ୯୯ଲକ୍ଷ ୬୧ହଜାର ୫୭ଜଣ ମତଦାତା ନିର୍ଣ୍ଣାୟକ ସାଜିବେ। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ରାଜ୍ୟ ପୁଲିସ ବ୍ୟତୀତ ୧୨୫ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯାଇଛି। ୮ଟି ଜିଲ୍ଲାରେ ହେବାକୁ ଥିବା ମତଦାନ ପାଇଁ ୧୦,୮୮୨ଟି ମତଦାନ କେନ୍ଦ୍ରରେ କରାଯାଇଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଶନିବାର ମତଦାନ ହେବ। ଏହି ପର୍ଯ୍ୟାୟରେ ବିଧାନସଭାର ୩୯୪ଜଣ ଓ ଲୋକସଭାର ୬୬ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି । ୫୦.୮୮ଲକ୍ଷ ପୁରୁଷ ଓ ୪୮.୭୨ଲକ୍ଷ ମହିଳା ଓ ୬୮୭ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ପ୍ରଥମଥର ପାଇଁ ୧୮-୧୯ବର୍ଷ ବୟସର ୨.୫୭ଲକ୍ଷ ଭୋଟର ନିଜର ମତାଦନ କରିବେ। ଏହି ପର୍ଯ୍ୟାୟରେ ୨୦-୨୯ବର୍ଷ ବୟସର ୨୦.୫୧ଲକ୍ଷ ଯୁବ ଭୋଟର ରହିଛନ୍ତି ।