ପୁରୀ: ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ଅଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଉପରେ ସାରା ବିଶ୍ୱବାସୀଙ୍କ ପାଇଁ ଦର୍ଶନ ଦେବେ । ସେଥିପାଇଁ ରଥ କାର୍ଯ୍ୟ ବେଶ୍ ତତ୍ପରତାର ସହ ଚାଲିଛି । ରଥ ନିର୍ମାଣ କାର୍ଯ୍ୟ ୪୦ ଦିନରେ ପହଞ୍ଚିଛି । ଗତକାଲି ସୁଦ୍ଧା ତିନିରଥର ମୋଟ ୩୨ଟି ଗୟଳ ମୋଡ଼ା କାର୍ଯ୍ୟ ସମ୍ପନ୍ନ ହେବା ପରେ ଯୋକାଗୁଡ଼ିକୁ ଭୋଇ ସେବକମାନେ ତିନିରଥରେ ଡେରା କାର୍ଯ୍ୟ ଶେଷ କରିଥିଲେ।
ଆଜି ତିନିରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ତିନି ରଥ ମହାରଣା ସେବକ ଓ ଭୋଇ ସେବକମାନଙ୍କ ସହଯୋଗରେ ତିନି ରଥର ପ୍ରଥମ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି। ଏଥିସହ ଭୂଇଁ ଫ୍ରେମ୍ର ବିଭିନ୍ନ ଅଂଶଗୁଡିକର ନମ୍ବରିଂ କାର୍ଯ୍ୟ ଶେଷ ହୋଇଛି। ଏହି ପ୍ରଥମ ଭୂଇଁ ଫ୍ରେମ୍ ୬ଟି ଓରା ୪ଟି ଖମ୍ୱୀ ସଂଯୋଗ ହୋଇ ଚାରି ପାର୍ଶ୍ବରେ ୨୪ଟି ପାଖୁଡା ଓ ୧୬ଟି ଛିଆଣ ଲାଗି, ପାଖୁଡ଼ାକୁ ଧରି ରଖିବା ପାଇଁ ୨୪ଟି ଭୂଇଁ ଖମ୍ୱୀ ଚାରି ପାର୍ଶ୍ବରେ ସଂଯୋଗ ହୋଇଛି। ସେହିଭଳି ରୂପକାର ସେବକମାନେ ତିନିରଥର ଦ୍ୱାରା ପାଇଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ବା ରାହୁ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ ସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଭୂଇଁ କଣ୍ଟା ଓ ପୋଟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ମୁଖ୍ୟ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଚାଲିଛି ରଥ ନିର୍ମାଣ।