ଗଜପତି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁରାଣ୍ଡି-ଆଙ୍କୁଡୁ ଗ୍ରାମ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା ଉପରେ ଥିବା ଏକ କେନାଲରୁ ଭାସମାନ ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର ହୋଇଛି । ଗୁରୁବାର ସକାଳ ପ୍ରାୟ ୧୦ ଟା ସମୟରେ ରାସ୍ତାରେ ଯାଉଥିବା କିଛି ବ୍ଯକ୍ତି ଜଣେ ବ୍ୟକ୍ତିଙ୍କମୃତ ଶରୀର କେନାଲରେ ଭାସୁଥିବାର ଦେଖିବାକୁ ପାଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏଏସ୍ଆଇ ସୁନନ୍ଦା ପାତ୍ର ପ୍ରମୁଖ ନିଜ ଟିମ୍ ସହ ପହଞ୍ଚିଥିଲେ । ଏହାପରେ ପୋଲିସ୍ କର୍ମଚାରୀମାନେ କେନାଲ ରୁ ଶବଟିକୁ ଉଦ୍ଧାର କରିଥିଲେ । ଶବଟି ଉଦ୍ଧାର ପରେ ମୃତ ଯୁବକଙ୍କ ନାମ ଟି. ଶ୍ୟାମ ସୁନ୍ଦର ରାଓ (୨୮) ଏବଂ ତାଙ୍କ ଗ୍ରାମ ଆଙ୍କୁଡୁ ଗ୍ରାମ ନିକଟସ୍ଥ ବୀରନାରାୟଣପୁର ବୋଲି ଜଣାପଡିଥିଲା । ଏହାପରେ ପୋଲିସ୍ ଶବଟିକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଥିଲେ ।
ସୂଚନା ମୁତାବକ ମୃତ ଶ୍ୟାମସୁନ୍ଦର ଆନ୍ଧ୍ରପ୍ରଦେଶ ଏଲୁରୁ ଠାରେ ପ୍ରୋକଲିନ୍ ଚାଳକ ଭାବେ କାର୍ଯ୍ୟରତ ଥିବା ବେଳେ ନିଜ ସମ୍ପର୍କୀୟଙ୍କ ଏକ ଭୋଜିଭାତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗତ ୧୦ ଦିନ ପୂର୍ବେ ସେ ନିଜ ଗ୍ରାମକୁ ଆସିଥିଲେ ବୋଲି ଜଣାପଡିଛି । ତେବେ ବୁଧବାର ଠାରୁ ସେ ନିଜ ଗ୍ରାମରେ ନଥିଲେ । ଏନେଇ ତାଙ୍କ ପିତା ଟି.ସୁରିନାରାୟଣା କହିଛନ୍ତି ଯେ, ଆନ୍ଧ୍ରର ତେମ୍ବୁରୁ ନିକଟ ଗ୍ରାମରେ ରହୁଥିବା ତାଙ୍କ ଏକ ମାତ୍ର ଝିଅ ଘରକୁ ଶ୍ୟାମସୁନ୍ଦର ଚାଲିଯାଇଥିବ ବୋଲି ସେ ଭାବିଥିଲେ କିନ୍ତୁ ଘଟଣା ପରେ ନିଜ ଏକମାତ୍ର ପୁତ୍ରକୁ ହରାଇ ସେ ବେସାହାରା ହୋଇଯାଇଛନ୍ତି । ଘଟଣାକୁ ନେଇ ଗୁରାଣ୍ଡି ଥାନାରେ ୧୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।