ଭୁବନେଶ୍ୱର: ଶୁକ୍ରବାର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଚତୁର୍ଥ ବାର୍ଷିକ କନ୍ଟିନ୍ୟୁଇଙ୍ଗ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ଆୟୋଜିତ ହୋଇଯାଇଛି । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଯୋଗୁଁ ଏକ ସ୍ୱତନ୍ତ୍ର କ୍ଲିନିକାଲ୍ ଏବଂ ବୈଜ୍ଞାନିକ ଶାଖା ଭାବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ର ଅଭ୍ୟୁଦୟ ଫଳରେ ଚିକିତ୍ସା କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଭୂତ ଉନ୍ନତି ଘଟିଛି ବୋଲି ଶୁକ୍ରବାର ଜଣେ ବିଶେଷଜ୍ଞ ମତ ଦେଇଛନ୍ତି ।
ସାରା ଦେଶରେ ଅଧିକରୁ ଅଧିକ ରକ୍ତ କେନ୍ଦ୍ର ବା ବ୍ଲଡ୍ ସେଂଟର ଖୋଲାଯାଉଥିବା ବେଳେ ଅଟୋମେସନ୍, କମ୍ପ୍ୟୁଟରାଇଜେସନ୍ ଏବଂ ସେନ୍ସିଟିଭ୍ ଆଡଭାନ୍ସଡ ଟେକ୍ନିକ୍ ଭଳି ନୂତନ ଜ୍ଞାନକୌଶଳର ବ୍ୟବହାର ଏହି ପରିବର୍ତ୍ତନ ଆଣିପାରିଛି ବୋଲି କହିଛନ୍ତି କୋଲକାତା ସ୍ଥିତ ଆପୋଲୋ ଗ୍ଲିନିଏଗିଲ୍ସ ହସ୍ପିଟାଲ୍ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ତଥା ସିନିୟର କନ୍ସଲ୍ଟାଂଟ ଡାକ୍ତର ସୁଦିପ୍ତ ଶେଖର ଦାସ । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଚତୁର୍ଥ ବାର୍ଷିକ କନ୍ଟିନ୍ୟୁଇଙ୍ଗ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ)ରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏହା କହିଛନ୍ତି ଡାକ୍ତର ଦାସ ।
୨୦ ବର୍ଷ ପୂର୍ବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ସମ୍ପର୍କରେ ବିଶେଷ କିଛି ଜଣା ନଥିବା ବେଳେ ଗତ ଏକ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ଆଖିଦୃଶିଆ ବିକାଶ ହୋଇଛି ବୋଲି କହିବା ସହ ଦେଶର ସବୁ ରକ୍ତ ଭଣ୍ଡାରଗୁଡ଼ିକରେ ଏପର୍ଯ୍ୟନ୍ତ ଉପଯୁକ୍ତ ବ୍ୟବସ୍ଥା ହୋଇପାରି ନାହିଁ ବୋଲି ଡାକ୍ତର ଦାସ କହିଥିଲେ । ତେବେ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ଯେଭଳି ଭାବେ ଜନସାଧାରଣଙ୍କର ଆବଶ୍ୟକତାକୁ ପୂରଣ କରୁଛି ଏବଂ ଉଚ୍ଚକୋଟୀର କାର୍ଯ୍ୟ କରୁଛି ତାହା ପ୍ରଶଂସନୀୟ ବୋଲି କହିଥିଲେ ଡାକ୍ତର ଦାସ । ଦେଶର ଅଧିକ ରକ୍ତ ଭଣ୍ଡାରଗୁଡ଼ିକରେ ବର୍ତମାନ ଟ୍ରାନ୍ସଫ୍ୟୁଜନ୍ ବିଶେଷଜ୍ଞମାନେ କାର୍ଯ୍ୟ କରୁଥିବା ବେଳେ ଏ କ୍ଷେତ୍ରରେ ଭାରତ ଖୁବ୍ ଶୀଘ୍ର ବିକଶିତ ଦେଶଗୁଡ଼ିକ ସହିତ ଏହି କ୍ଷେତ୍ରରେ ନିଜର ସ୍ଥାନ ନେବ ବୋଲି ସେ କହିଥିଲେ ।
ଏହି ଅବସରରେ ଆଇଏମ୍ଏସ ଆଣ୍ଡ ସମ୍ ହସ୍ପିଟାଲ୍ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଜା ନନ୍ଦିନୀ କାନୁନ୍ଗୋ କହିଥିଲେ ଯେ ହସ୍ପିଟାଲ୍ର ଏହି ରକ୍ତ ଭଣ୍ଡାରଟି ୨୦୦୫ରେ ଆରମ୍ଭ ହୋଇଥିବା ବେଳେ ଏଠାରେ ରକ୍ତ ସଂଗ୍ରହ ଓ ରୋଗୀମାନଙ୍କୁ ରକ୍ତ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ମଧ୍ୟ ଦିଆଯାଇଥାଏ । ରକ୍ତ ଭଣ୍ଡାରଟି ଆରମ୍ଭ ହେବା ସମୟରେ ପ୍ରତ୍ୟେକ ଦିନ ପ୍ରାୟ ୩ ରୁ ୫ ୟୁନିଟ ରକ୍ତ ସଂଗ୍ରହ କରାଯାଉଥିବା ବେଳେ ୩ ୟୁନିଟ ପ୍ରଦାନ କରାଯାଉଥିଲା । ବର୍ତମାନ ଏହାର ପରିମାଣ ବୃଦ୍ଧି ପାଇ ପ୍ରତ୍ୟେକ ଦିନ ହାରାହାରି ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଉଥିବା ବେଳେ ୧୭୫ ୟୁନିଟ୍ ପ୍ରଦାନ କରାଯାଉଛି ।
ଆୟୋଜିତ ଏହି ସିଏମ୍ଇର ବିଷୟବସ୍ତୁ ଥିଲା “ହେଡ୍ୱେ ଇନ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍: ସ୍ପେଶିଆଲ୍ ଏମ୍ଫାସିସ୍ ଅନ୍ ପେଡିଆଟ୍ରିକ ଆଣ୍ଡ ନିଓନାଟୋଲୋଜି ପେସେନ୍ଟ୍ସ” । ଏହି ସିଏମ୍ଇରେ ଟ୍ରାନ୍ସଫ୍ୟୁଜନ ମେଡିସିନ୍ କ୍ଷେତ୍ରର ବିଶେଷଜ୍ଞ, ବିଭିନ୍ନ ବିଭାଗର ସିନିୟର ଫ୍ୟାକଲ୍ଟି, ଜୁନିୟର ରେସିଡେଂଟ୍ସ, ପିଜି ଛାତ୍ରଛାତ୍ରୀ ଏବଂ ଅନ୍ୟ ହସ୍ପିଟାଲ୍ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର କର୍ମଚାରୀ ସମେତ ପ୍ରାୟ ୧୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ ।