ଆଜି ହେଉଛି ରଜ ପର୍ବର ଶେଷ ଦିନ । ଆଜିର ଦିନକୁ ବସୁମତୀ ସ୍ନାନ କୁହାଯାଏ । ଆଜିର ଦିନରେ ମା'ବସୁମତୀଙ୍କୁ ସ୍ନାନ କରାଯାଏ । ରଜସ୍ବଳା ନାରୀ ଯେଭଳି ଚତୁର୍ଥ ଦିନ ସ୍ନାନ କରି ଶୁଦ୍ଧ ହୁଏ, ସେହିପରି ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାଆନ୍ତି।
ରଜ ତିନିଦିନ ମାଟି ମା' ରଜସ୍ୱଳା ହୋଇଥାନ୍ତି । ସେଥିପାଇଁ ମାଟି ମା'କୁ କଷ୍ଟ ହେଲା ଭଳି କାର୍ଯ୍ୟ କରିବା ବାରଣ କରାଯାଇଥାଏ । ଏହି ସମୟରେ ଠାକୁର ପୂଜା, ଭୂମି ଦହନ, ବଟାବଟି, କଟାକଟି ଆଦି ଶାରୀରିକ କାର୍ଯ୍ୟ କରିବା ପାଇଁ ନାରୀଙ୍କୁ ବାରଣ କରାଯାଇଥାଏ । ଶେଷଦିନ ବସୁଧା ମା'ଙ୍କ ପୂଜାର୍ଚ୍ଚନା କରିବାର ବିଧି ରହିଛି। ଏହା ହେଉଛି ଶୁଦ୍ଧ ଓ ପବିତ୍ର ହେବାର ପ୍ରତୀକ । ରଜସ୍ୱଳା ନାରୀ ସଦୃଶ ବସୁମତୀ ମାତା ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଶୁଦ୍ଧ ସ୍ନାନ ପର୍ବ କରାଯାଏ ।
ବସୁମତୀ ସ୍ନାନରେ ପିଢ଼ା ଉପରେ ଶିଳପୁଆ ରଖାଯାଇ କଜଳପାତି, ଲଙ୍ଗଳ ଲୁହା, କପାତୁଳା ରଖି ବିଧି ମୁତାବକ ପୂଜାର୍ଚ୍ଚନା କରାଯାଏ । ହଳଦିପାଣିରେ ବସୁମତୀ ମା'ଙ୍କୁ ସ୍ନାନ କରାଯିବା ସହିତ ଚନ୍ଦନ, ସିନ୍ଦୂର, ଫୁଲ,ଭୋଗ ସହ ପୂଜା କରାଯାଏ । ଆଜି ପରଠୁ ଚାଷୀ ତାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ ।