ବାଲେଶ୍ୱର: ସୋମବାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଖଇରପିପଳ ପଂଚାୟତ ଦହମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀ ଓ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବାପା । ତେବେ ଘରୋଇ କଳିରୁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । କିନ୍ତୁ ଆଜି ଟାଙ୍ଗିଆରେ ହାଣିଥିବା ବାପାର ମୃତଦେହ ସୁବର୍ଣ୍ଣରେଖା ନଦୀ ନିକଟରୁ ଉଦ୍ଧାର ହୋଇଛି ।
ସୂଚନା ଅନୁସାରେ ଅଭିଯୁକ୍ତ ପଲଟୁ ଜେନାର ଦୁଇଟି ପୁଅ ଅଛନ୍ତି। ସେମାନଙ୍କ ଭିତରୁ ଜଣକର ବୟସ ୫ ଓ ଆର ଜଣକର ବୟସ ୨ ବର୍ଷ ବୋଲି ଜଣାଯାଇଛି। ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ପଲଟୁ ଜେନା ଓ ତାଙ୍କ ପରିବାରର ସମସ୍ତେ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ପୁଅକୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।
ତେବେ ଗତକାଲି ସ୍ତ୍ରୀ ଓ ପୁଅକୁ ହାଣିଥିବା ବାପାର ମୃତଦେହ ଆଜି ସୁବର୍ଣ୍ଣରେଖା ନଦୀ ନିକଟରୁ ଉଦ୍ଧାର ହୋଇଛି । ଅଭିଯୁକ୍ତ ବାପା ପଲଟୁ ଜେନା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏନେଇ କମର୍ଦ୍ଦା ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିବା ଜଣାପଡିଛି ।