କଟକ: ନିୟନ୍ତ୍ରଣକୁ ଆସୁନି ଡାଇରିଆ । ରାଜ୍ୟରେ ଜିଲ୍ଲା ପରେ ଜିଲ୍ଲାକୁ ଏହା ବ୍ୟାପିବାରେ ଲାଗିଛି । ଆଜି ୫ ଜିଲ୍ଲାରୁ ଚିହ୍ନଟ ହୋଇଛି ୩ଶହ ମାମଲା। କଟକରେ ମଧ୍ୟ ଚିନ୍ତା ବଢାଇଛି ଝାଡାବାନ୍ତି। ପ୍ରାୟ ୬୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସମୀକ୍ଷା କରିଛି। ସିଡିଏମଓଙ୍କ ସହ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି। ତେବେ ଜିଲ୍ଲାରେ ଡାଇରିଆ ସ୍ଥିତି ଜିଲ୍ଲାପାଳ କହିଛନ୍ତି, ‘କଟକରେ ଏବେ ସୁଦ୍ଧା ଡାଇରିଆ ଜନିତ କାହାରି ମୃତ୍ୟୁ ହୋଇନାହିଁ । କୌଣସି ଆକ୍ରାନ୍ତ ଗୁରୁତର ନାହାନ୍ତି । କଟକ ସଦର ଅଞ୍ଚଳର ଝିଙ୍କିରିଆ ଏବଂ ବାଙ୍କୀ ଅଞ୍ଚଳରେ ଡାଇରିଆ ବ୍ୟାପିଛି। କଟକ ସଦର ରେ ୩୧ ଜଣ ଏବଂ ବାଙ୍କୀ ରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ସଦର ଝିଙ୍କିରିଆ ଠାରେ ଏକ ଭୋଜିରୁ ଡାଇରିଆ ବ୍ୟାପି ଥିଲା। ସେଠାରେ ଏବେ ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ସହ ବାଙ୍କୀ ରେ ଅନେକ ଲୋକ ସୁସ୍ଥ ହୋଇ ସାରିଲେଣି। ନରସିଂହପୁର ଏବଂ ତିଗିରିଆରେ କିଛି ସଂଖ୍ୟାରେ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି ଓ ତା ଉପରେ ପ୍ରଶାସନର ନଜର ରଖିଛି। କଟକ ପରେ ଏବେ ଚୌଦ୍ୱାରରେ ମଧ୍ୟ ଡାଇରିଆ ବ୍ୟାପିଛି ।
ଝାଡାବାନ୍ତି ବ୍ୟାପିବା ନେଇ ଏସ ସି ବି ରେ ଆବଶ୍ୟକ ମୁତାବିକ ବେଡ ପ୍ରସ୍ତୁତ ରହିଛି । ପୂର୍ବରୁ ଡାଇରିଆ ୱାର୍ଡରେ ଶଯ୍ୟା ସଂଖ୍ୟା ୩୫ ରହୁଥିବା ବେଳେ, ଏବେ ଅଧିକ ୪୦ ଟି ଶଯ୍ୟା ଅଧିକ କରାଯାଇ, ଏହି ସଂଖ୍ୟାକୁ ୭୫କୁ ବୃଦ୍ଧି କରାଯାଇଛି। କଟକ ଜିଲ୍ଲାର ପ୍ରଭାବିତ ଅଂଚଳଗୁଡ଼ିକୁ ରାପିଡ ରେସପନ୍ସ ଟିମ୍ ପଠାଯାଇଛି। ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ ।
ଅନ୍ୟପଟେ ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ବାନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ଗଲାଣି ୨୧ଜୀବନ । ୧୭୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୧୩୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ୨୪୦ ଜଣଙ୍କ ଚିକିତ୍ସା ଚାଲିଛି । ଯାଜପୁର ଜିଲ୍ଲାରେ ହଇଜା ଏବେ ସ୍ଥାନୀୟ ସଂକ୍ରମଣର ରୂପ ନେଇସାରିଛି । ଭିବ୍ରିଓ କଲେରା ଜୀବାଣୁ ଝାଡ଼ାବାନ୍ତିର ପ୍ରକୋପ ବଢ଼ାଇଛି । ତେବେ ଏହା ମହାମାରୀ ନୁହେଁ ସ୍ଥାନୀୟ ସଂକ୍ରମଣ ବୋଲି ରିପୋର୍ଟ ଦେଇଛି ୧୪ ଜଣିଆ କେନ୍ଦ୍ରୀୟ ଦଳ ।