ଭୁବନେଶ୍ୱର: ସରକାର ପ୍ରଥମ ବର୍ଷ ପୂର୍ତ୍ତି ପରେ ଏବେ ଦ୍ୱିତୀୟ ବର୍ଷ ପାଇଁ କାର୍ଯ୍ୟାରମ୍ଭ କରିଛନ୍ତି । ଦ୍ୱିତୀୟ ବର୍ଷ ପ୍ରାରମ୍ଭରେ ଶିଳ୍ପ କ୍ଷେତ୍ରରେ ବଡ଼ ନିଷ୍ପତି ନିଆଯାଇଛି । ୮ ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୪୧ତମ ଉଚ୍ଚସ୍ତରୀୟ ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି । ଏଥିରେ ୧ଲକ୍ଷ ୫୧ ହଜାର ୨୩୯ କୋଟି ୫୦ ଲକ୍ଷ ଟଙ୍କା ବିନିଯୋଗ ହେବ । ୬୦ ହଜାର ୨୦୦ ନୂଆ ନିଯୁକ୍ତି ସୃଷ୍ଟି ହେବ । ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରେ ଆଲୁମିନିୟମ, କେମିକାଲ, ଇସ୍ପାତ, ବୟନ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଏହି ଶିଳ୍ପ ପ୍ରତିଷ୍ଠା ହେବ ।
ଢେଙ୍କାନାଳ ଜିଲ୍ଲାରେ ବେଦାନ୍ତ ପକ୍ଷରୁ ୧ ଲକ୍ଷ ୨୮ହଜାର କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୩ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଆଲୁମିନିୟ ସ୍ମେଲଟର ଓ ୪୯୦୦ ମେଗାୱାଟ କ୍ଷମତା ବିଶିଷ୍ଠ ନିଜସ୍ୱ ବିଦ୍ୟତ୍ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଏଥିରେ ପ୍ରାୟ ୩୦ହଜାର ନିଯୁକ୍ତି ସୁଯୋଗ ରହିବ ।
ସେହିପରି ଗଞ୍ଜାମରେ ରାସାୟନିକ କ୍ଷେତ୍ରରେ ନିବେଶ କରିବ ଏସଆରଏଫ ଲିମିଟେଡ୍ । ଏକ ସ୍ୱତନ୍ତ୍ର ରାସାୟନିକ ଏବଂ ରେଫ୍ରିଜରେଣ୍ଟ ୟୁନିଟ୍ ପାଇଁ ୧୦,୦୦୦ କୋଟି ଟଙ୍କା ନିବେଶ କରିବ। ଫଳରେ ୨୦,୦୦୦ ନିଯୁକ୍ତି ସୃଷ୍ଟି କରିବ ।
ଖୋର୍ଦ୍ଧାରେ ବୟନ ଶିଳ୍ପ କ୍ଷେତ୍ରରେ ସ୍ପୋର୍ଟକିଙ୍ଗ୍ ଇଣ୍ଡିଆ ଏକ କପା ଏବଂ ମିଶ୍ରିତ ସୂତା ୟୁନିଟ୍ ପାଇଁ ୨,୦୫୫ କୋଟି ଟଙ୍କା ନିବେଶ କରିବ। ଏଥିରେ ୪,୮୦୦ ନିଯୁକ୍ତି ସୁଯୋଗ ରହିବ ।
ଶ୍ୟାମଷ୍ଟିଲ ମ୍ୟାନୁଫାକଚରିଂ ଲିମିଟେଡ଼ ପକ୍ଷରୁ କେନ୍ଦୁଝରରେ ୦.୫୩ ନିୟୁତ ଟନ ବିଶିଷ୍ଠ ଏକ ସମନ୍ୱିତ ଇସ୍ପାତ କାରଖାନା କରାଯାଇ ଡିଆଇ ପାଇପ୍ ୟୁନିଟ୍ ଏବଂ ୪୬ ମୋଗାୱାଟ ନିଜସ୍ୱ ବିଦ୍ୟତ୍ ପ୍ରକଳ୍ପ ପ୍ରତିଷ୍ଠା ହେବ । ୨ହଜାର ୪୯୦ କୋଟି ଟଙ୍କା ଏଥିରେ ବିିନିଯୋଗ କରାଯିବ । ୨ହଜାର ୩୭୦ ଜଣ ନିଯୁକ୍ତି ପାଇବେ ।
ବିଗତ ୧ ବର୍ଷ ଭିତରେ ନୂଆ ସରକାର ୬ଟି ଏଚଏଲସିଏ ବୈଠକରେ ୬୨ ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ୫ଲକ୍ଷ ୬୭ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହ ୨ ଲକ୍ଷ ୪୨ ହଜାର ନିଯୁକ୍ତି ସୁଯୋଗ ପାଇଁ ଏଥିରେ ପ୍ରସ୍ତାବ ରହିଛି ।