ବ୍ରହ୍ମପୁର: ଯେତେବେଳେ ରଜ ପର୍ବରେ ଝିଅମାନେ ଖୁସି ଖେଳୁ ଥିଲେ ଏବଂ ବୁଲୁ ଥିଲେ ସେତେବେଳେ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କ ସହିତ ହେଉଥିଲା ଗଣଦୁଷ୍କର୍ମ । ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଏହି ଘଟଣା ଦୁଃଖ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ପ୍ରଭାତୀ ପରିଡ଼ା ।
ଉପମନ୍ତ୍ରୀ ଶ୍ରୀମତି ପରିଡ଼ା କହିଛନ୍ତି, “ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ମୋତେ ବ୍ୟଥିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ସମ୍ପର୍କରେ ଏସପିଙ୍କ ସହ କଥା ହୋଇ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଆବଶ୍ୟକ ପଦେକ୍ଷପ ନେବାକୁ ନିର୍ଦ୍ଦେଶ ଦେଇଛି”।
ଏଠାରେ ଉଲ୍ଲେଖ ଯୋଗ୍ୟ, ରଜର ଦ୍ୱିତୀୟ ଦିନ ଅର୍ଥାତ ରଜ ସଂକ୍ରାନ୍ତି ରାତି ପ୍ରାୟ ୯ଟା ବେଳେ ଜଣେ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର ବେଳାଭୂମିରେ ପାନ୍ଥନିବାସ ନିକଟରେ ବୁଲୁଥିଲେ । ଏହି ସମୟରେ କିଛି ଅସାମାଜିକ ଯୁବକ ଗଣଦୁଷ୍କର୍ମ କରିଥିଲେ । ତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କ ସହିତ କରିଥିଲେ ଅସଦାଚରଣ । ଏ ନେଇ ଜନୈକା ଯୁବତୀ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁରୁଷ ବନ୍ଧୁ ଦୁଇ ଜଣଙ୍କୁ ଚିହ୍ନଟ କରିବା ପରେ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା । ଏହି ମାମଲାରେ ପୋଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି । ସମସ୍ତେ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ଜଣାପଡ଼ିଛି ।